ନିଯୁକ୍ତି ପ୍ରକ୍ରିୟା ଉପରୁ ଅଙ୍କୁଶ ହଟିଲା : ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ୍‌ ଓ ପାରାମେଡିକାଲ କର୍ମଚାରୀ

Aug 23, 2023 - 08:25
 3
ନିଯୁକ୍ତି ପ୍ରକ୍ରିୟା ଉପରୁ ଅଙ୍କୁଶ ହଟିଲା : ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ୍‌ ଓ ପାରାମେଡିକାଲ କର୍ମଚାରୀ

କଟକ: ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହଟାଇଛନ୍ତି ହୋଇକୋର୍ଟ। ନିଯୁକ୍ତି ପ୍ରକ୍ରିୟା ଜାରି ରହିବ, କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଏହି ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ୨୦୨୩, ମେ ୧ରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ସରକାର ନିଯୁକ୍ତି ପ୍ରକ୍ରିୟା କ୍ଷେତ୍ରରେ ଆଗେଇ ପାରିବେ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ତିନି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ୧୬ଜଣ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସେମାନଙ୍କ ପାଇଁ ମୋଟ ୧୬ଟି ପଦବି ସଂରକ୍ଷିତ ରଖାଯିବ। ଏଥି ସହିତ ଇତିମଧ୍ୟରେ ଯଦି କୌଣସି ପଦବିରେ ନିଯୁକ୍ତି ପ୍ରଦାନ କରାଯାଏ ତେବେ ତେବେ ତାହା ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ। ଯଦି ଚୟନ କରାଯିବାକୁ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଏ ତେବେ ଏଥିରେ ଏପରି ନିର୍ଦ୍ଦେଶ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୧ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଂଗକୁ ନେଇ ରାଜ୍ୟ ସରକାର ଦାୟର କରିଥିବା ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।