ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବିକ୍ରି ହୋଇପାରିବନି ନିଶାଦ୍ରବ୍ୟ

Nov 8, 2023 - 06:38
 4
ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବିକ୍ରି ହୋଇପାରିବନି ନିଶାଦ୍ରବ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବିକ୍ରି ହୋଇପାରିବନି ନିଶାଦ୍ରବ୍ୟ। ପାନ, ଗୁଟ୍‌ଖା, ସିଗାରେଟ୍‌ ପରି ନିଶାଦ୍ରବ୍ୟ ବ୍ୟବସାୟ ଉପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଟକଣା ଲଗାଇଛନ୍ତି। ଯଦି କୌଣସି ଦୋକାନୀ ନିଜ ବ୍ୟବସାୟିକ ପ୍ରତିଷ୍ଠାନରେ ନିଶାଦ୍ରବ୍ୟ ବିକ୍ରି କରୁଥିବା ନଜରକୁ ଆସନ୍ତି ତେବେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ କ୍ୟାମ୍ପସ୍‌ରୁ ତଡ଼ା ଖାଇବେ। ବାରମ୍ବାର ତାଗିଦ୍‌ ସତ୍ତ୍ବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗିପାରୁ ନ ଥିବାରୁ କର୍ତ୍ତୃପକ୍ଷ ଏମିତି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଓ କୁଳସଚିବ କାହ୍ନୁ ଚରଣ ଧୀର ଏଭଳି ନିଷ୍ପତ୍ତି ନେବା ସହ କ୍ୟାମ୍ପସର ସମସ୍ତ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି। ଆହୁରି ନିଷ୍ପତ୍ତି ହୋଇଛି ଯେ କ୍ୟାମ୍ପସର କୌଣସି ସ୍ଥାନରେ ଯଦି ମଦ୍ୟପାନ କିମ୍ବା ନିଶା ସେବନ କରୁଥିବା ସମୟରେ ଛାତ୍ର କିମ୍ବା ଛାତ୍ରୀ ଧରାପଡ଼ନ୍ତି ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯାଇପାରେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ଉଦ୍ୟମକୁ ଶିକ୍ଷାବିତ୍‌ମାନେ ପ୍ରଶଂସା କରିଥିବା ବେଳେ କାର୍ୟ୍ୟକାରିତା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସକୁ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ବର୍ଷକ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଥିଲା। ଶିକ୍ଷାନୁଷ୍ଠାନର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।