ମୁମ୍ବାଇରେ ଜିକା ଭାଇରସ୍, ୧୦ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ ମୁମ୍ବାଇ ଟାସ୍କ- ଫୋର୍ସ ଆଲର୍ଟ ହୋଇ ଯାଇଛି।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କୋହ୍ଲାପୁରାରେ ୪ ଜଣ, ମୁମ୍ବାଇରେ ୨ ଜଣ, ଇଞ୍ଚଲକରଞ୍ଜିରେ ୨ ଜଣ, ପନ୍ଦରପୁରରେ ଜଣେ ଓ ପୁଣେରେ ଜଣେ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।
ପୁଣେର ଜଣେ ୬୪ ବର୍ଷୀୟା ମହିଳା ପ୍ରଥମେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆଉ ୯ ଜଣଙ୍କ ସାମ୍ପୁଲ ଟେଷ୍ଟ ପାଇଁ NIV ପଠାଯାଇଛି। ମହିଳାଜଣକ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ପରେ ଗତ ଅକ୍ଟୋବରରେ ସେ କେରଳ ଯାଇଥିବା ଜଣାପଡ଼ିଥିଲା।