କାର୍ ଭିତରୁ ନଗଦ ୫ କୋଟି ଟଙ୍କା ଜବତ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ଗାଚିବାୱଲି ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଦୁଇଟି କାର୍ ଭିତରୁ ନଗଦ ୫ କୋଟି ଟଙ୍କା ଜବତ କରିଛି। ଦୁଇଟି କାର୍ରେ ଏହି ଟଙ୍କା ପରିବହନ କରୁଥିବା ୭ଜଣ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଅଧିକ ତଦନ୍ତ ଲାଗି ଜବତ କରାଯାଇଥିବା ନଗଦ ଅର୍ଥରାଶିକୁ ଆୟକର ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି।
ସେହିପରି, ଭିନ୍ନ ଏକ ଘଟଣାରେ ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ହୟାତ୍ନଗର ଥାନା ଅଞ୍ଚଳରୁ ଗୋଟାଏ କାର୍ରୁ ପୁଲିସ ନଗଦ ୨ କୋଟି ଟଙ୍କା ଜବତ କରିଛି।ଏହା ପୂର୍ବରୁ, ସୋମବାର ଦିନ ନିର୍ବାଚନ କମିସନ୍ କହିଥିଲା, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରୁ ଏଯାବତ୍ ୧,୭୬୦ କୋଟି ଟଙ୍କା ମୂଲ୍ୟର ମାଗଣା ବଣ୍ଟନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ, ଡ୍ରଗ୍, ନଗଦ ଟଙ୍କା, ମଦ ଓ ଦାମିକା ଧାତୁ ଜବତ କରାଗଲାଣି। ଏସବୁ ଭୋଟର୍ମାନଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ଅଣାଯାଇଥିଲା।
ବିଧାନସଭା ନିର୍ବାଚନ ଆଉ ଏକ ସପ୍ତାହ ଥିବାରୁ ସମଗ୍ର ରାଜ୍ୟରେ ପୁଲିସ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଛି। ଅକ୍ଟୋବର ୯ ତାରିଖରୁ ଆଚରଣ ସଂହିତା ଲାଗୁ ହେବା ପରଠାରୁ ପୁଲିସ ଗାଡ଼ି ଯାଞ୍ଚ କରିବା କାର୍ୟ୍ୟ କଠୋର କରିଛି।