ଆଜିଠୁ ବିଇଡି, ବିଏଚ୍‌‌ଇଡି ଓ ଏମ୍‌‌ଇଡି ଆବେଦନ

May 29, 2024 - 11:23
 5308
ଆଜିଠୁ ବିଇଡି, ବିଏଚ୍‌‌ଇଡି ଓ ଏମ୍‌‌ଇଡି ଆବେଦନ

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷରେ ୨ବର୍ଷିଆ ବିଇଡି, ବିଏଚ୍‌‌ଇଡି ଓ ଏମ୍‌‌ଇଡିରେ ନାମଲେଖା ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍‌‌ ୧୦ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ। ଆବେଦନପତ୍ର ବା କମନ୍‌‌ ଆପ୍ଲିକେସନ୍‌‌ ଫର୍ମରେ ତ୍ରୁଟି ଥିଲେ, ଜୁନ୍‌‌ ୧୧ ତାରିଖ ଦିନ ସଂଶୋଧନ କରିପାରିବେ। ଜୁଲାଇ ୧୫ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌‌ଏସ୍‌‌ବି) ୱେବ୍‌‌ସାଇଟ୍‌‌ରେ ଆଡମିଟ୍‌‌ କାର୍ଡ ଉପଲବ୍‌‌ଧ ହେବ। ବିଇଡି ଓ ବିଏଚ୍‌‌ଇଡି ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏମ୍‌‌ଇଡି ପାଇଁ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ।
ବିଜ୍ଞପ୍ତି ଅନୁଯାୟୀ, ଆଶାୟୀମାନେ ସାମ୍‌‌ସ୍‌‌ ପୋର୍ଟାଲ୍‌‌  www.samsodisha.gov.inରେ ଆବେଦନ କରିବେ। ଆବେଦନ ଓ ନାମଲେଖା ପ୍ରକ୍ରିୟା ସାମ୍‌‌ସ୍‌‌ ପୋର୍ଟାଲ୍‌‌ ମାଧ୍ୟମରେ କରାଯାଉଥିବା ବେଳେ ଏସ୍‌‌ଏସ୍‌‌ବି ପରୀକ୍ଷା ସଞ୍ଚାଳନ କରିବ। ଆବେଦନ ପ୍ରକ୍ରିୟା ସରିବା ପରେ ଆବେଦନକାରୀଙ୍କ ସମସ୍ତ ତଥ୍ୟ ଜୁନ୍‌‌ ୧୮ ତାରିଖରେ ଏସ୍‌‌ଏସ୍‌‌ବିକୁ ପ୍ରଦାନ କରାଯିବ। ପରୀକ୍ଷା ସରିବା ପରେ ଜୁଲାଇ ୧୫ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ନାତକ ବା ତତୁଲ୍ୟ ମାର୍କ ଅପଡେଟ୍‌‌ କରିପାରିବେ। ତା’ ପରେ ଫଳ ପ୍ରକାଶ ପାଇବା ସହ ସିଟ୍‌‌ ଆବଣ୍ଟନ କରାଯିବ। ପରବର୍ତ୍ତୀ ସମୟରେ ଏହାର ତାରିଖ ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।