ଆପଣମାନଙ୍କ ଖୁସି ମୋ ଖୁସି : ମୁଖ୍ୟମନ୍ତ୍ରୀ

Mar 6, 2024 - 14:51
 3
ଆପଣମାନଙ୍କ ଖୁସି ମୋ ଖୁସି : ମୁଖ୍ୟମନ୍ତ୍ରୀ

 ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି। ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି।

ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ। 

କାର୍ୟ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ   ବିଏସକେୱାଇ  ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର  ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।

 ନବୀନ ଓଡିଶା ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ୟ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ  ବିଏସକେୱାଇ ନବୀନ କାର୍ଡରେ ସାମିଲ କରାଯିବ ବୋଲି ସେ କହିଥିଲେ।

ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ୟ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସେ ଧନ୍ୟବାଦ ଜଣାଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡାରେ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ, ରେଢାଖୋଲରେ ବିଧାୟକ  ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବୋଲଗଡରେ ବିଧାୟକ  ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇଥିଲେ। 

କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂBSKY Societyର CEO ଧନ୍ୟବାଦ ଅର୍ପଣ କରିଥିଲେ।