କଟକକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ ଜାରି ରହିଛି: ଆଶୀର୍ବାଦ

କଟକ : କଟକକୁ ଶ୍ରୀହୀନ କରିବାକୁ ପୂର୍ବରୁ ଅନେକ ଉଦ୍ୟମ ହୋଇଥିଲା। ଯେଉଁ କେତେକ ଗୋଷ୍ଠୀ ଏହି ଉଦ୍ୟମ କରିଥିଲେ ସେମାନେ ସଫଳ ହୋଇନାହାନ୍ତି। ଆଉ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଜମି ମାପଚୁପ କରିବାକୁ ଆଗଭର ହୋଇଥିଲେ। ଏବେ ବି କଟକକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ ଜାରି ରହିଛି। ରାଜ୍ୟ ସରକାର ବାରବାଟୀ ଷ୍ଟାଡିୟମର ନବୀକରଣ ନେଇ ଯେଉଁ ଯୋଜନା କରିଛନ୍ତି ତାହା ଉପରେ ଆଙ୍ଗୁଳି ଉଠାଉଛନ୍ତି। ଭିତ୍ତିହୀନ ତଥ୍ୟ ଦେଇ ଗୁଜବ ସୃଷ୍ଟି କରିବା ସହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।
ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଆଥଲେଟିକ ସଂଘର ସମ୍ପାଦକ ତଥା ରାଜ୍ୟର ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଏଭଳି କଥା କହିଛନ୍ତି। ସିଧାସଳଖ ନହେଲେ ବି ଆଶୀର୍ବାଦ ପରୋକ୍ଷ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରସଙ୍ଗରେ ବିଭିନ୍ନ ମନ୍ତବ୍ୟ ରଖିଥିଲେ। କିନ୍ତୁ ଆଶୀର୍ବାଦ ବାରବାଟୀ ଷ୍ଟାଡିୟମ ନବୀକରଣର ଆବଶ୍ୟକତା ଥିବା କହିଛନ୍ତି।ଶ୍ରୀ ବେହେରା କହିଛନ୍ତି ଯେ ଭୈରବ ଚନ୍ଦ୍ର ମହାନ୍ତି ଓ ଡଃ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ବାରବାଟୀ ରାଫେଲ୍ସ ନାମକ ଲଟେରୀ ମାଧ୍ୟମରେ କ୍ରୀଡ଼ାପ୍ରେମୀ ଜନସାଧାରଣଙ୍କ ସହାୟତାରେ ବାରବାଟୀ ଷ୍ଟାଡିୟମ ନିର୍ମାଣ ହୋଇଥିଲା।
ସେତେବେଳେ ପ୍ରତ୍ୟେକଙ୍କ ଠାରୁ ୧ଟଙ୍କା ଲେଖାଏ ଆଦାୟ ହୋଇଥିଲା। ପ୍ରାଥମିକ ପର୍ୟ୍ୟାୟରେ ୬ଟି ଗ୍ୟାଲେରୀ, କ୍ଲବ ହାଉସ ଓ ଡର୍ମିଟୋରୀ ନିର୍ମିତ ହୋଇଥିଲା। ଡର୍ମିଟୋରୀ ଏବେ ସାଇ ହଷ୍ଟେଲ ଭାବେ ବ୍ୟବହାର କରାଯାଉଛି। ୧୯୮୫ ମସିହାରେ ସ୍ୱର୍ଗତଃ ବସନ୍ତ ବିଶ୍ୱାଳଙ୍କ ଉଦ୍ୟମରେ ଗ୍ୟାଲେରୀ ନଂ-୭ ନିର୍ମାଣ ହୋଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହାୟତାରେ ଓସିଏ ଅନ୍ୟ ବିକାଶମୂଳକ କାର୍ୟ୍ୟ କରିଛି। ତେବେ ଏହା ଭିତରୁ ଅନେକ କିଛି ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଲାଣି। ଗ୍ୟାଲେରୀ ନଂ-୭, ଯାହାକି ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏହା ବିପଦସଙ୍କୁଳ ଘୋଷିତ ହେବା ସହ କିଛି ବର୍ଷ ଏଠାକୁ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳୁ ନ ଥିଲା। ଷ୍ଟାଡିୟମଟି ୬୦ବର୍ଷରୁ ଅଧିକ ପୁରୁଣା। ଆଗାମୀ ୫୦ବର୍ଷକୁ ଲକ୍ଷ୍ୟରେ ରଖି ଷ୍ଟାଡିୟମର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଭାରତ ବର୍ଷରେ ରହିଥିବା ଅନ୍ୟ ଷ୍ଟାଡିୟମଗୁଡିକୁ ଦେଖନ୍ତୁ। ବିସିସିଆଇ, ରାଜ୍ୟ ସରକାର ଏବଂ ଓସିଏର ଉଦ୍ୟମରେ ବାରବାଟୀ ଷ୍ଟାଡିୟମର ଯେଉଁ ନବୀକରଣ କାର୍ୟ୍ୟ ହେବ, ତଦ୍ୱାରା ଷ୍ଟାଡିୟମର ରୂପରେଖ ବଦଳିବ। ସମଗ୍ର ବିଶ୍ୱରେ ଏହାର ପରିଚୟକୁ ଆହୁରି ସମୃଦ୍ଧ କରିବ। ଏଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ ଜଣାଇବା ଉଚିତ ବୋଲି ଆଶୀର୍ବାଦ କହିଛନ୍ତି।