ଚାଷୀଙ୍କ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ସସ୍ମିତ ପାତ୍ର
ଭୁବନେଶ୍ବର: ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ବିଜେପି ସଭାପତି ଦେଇଥିବା ବିବୃତିକୁ କାଉଣ୍ଟର ଆଟାକ କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଆଜି ଚାଷୀ ଓ ଚାଷୀଙ୍କ ବିଷୟରେ ବକ୍ତବ୍ୟ ରଖିଛନ୍ତି । ଏହା ହିଁ ତାଙ୍କର କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । ୨୦୧୭ ମସିହା ମାର୍ଚ୍ଚ ୧୭ ତାରିଖରେ ବିଧାନସଭାରେ ସର୍ବ ସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ୨୯୩୦ ଟଙ୍କା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହାକୁ ପାରିତ କରିବାରେ ତତ୍କାଳୀନ ବିଜେପି ବିଧାୟକ ମାନେ ସମର୍ଥନ କରିଥିଲେ ବୋଲି ମନମୋହନ ଭୁଲି ଯାଇଛନ୍ତି ।
ଓଡ଼ିଶାର ଚାଷୀଙ୍କ ହକ ପାଇଁ ଏମଏସପି କୁଇଣ୍ଟାଲ ୨୯୩୦ ଟଙ୍କା କରାଯାଉ ବୋଲି ସବୁ ବିଧାୟକ ଦାବି କରିଥିଲେ । ଘଟଣାକୁ ୭ ବର୍ଷ ବିତିଗଲା । ଓଡିଶା ଚାଷୀଙ୍କ ହକ ପାଇଁ ୨୯୩୦ ଟଙ୍କା ଏମଏସପି କରିବା ପାଇଁ ମନମୋହନ ଥରୁଟିଏ ତାଙ୍କର କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଏ କଥା କହିନାହାଁନ୍ତି । ନିର୍ବାଚନ ମୁଣ୍ଡ ଉପରେ ଆସିଯାଇଥିବାରୁ ଆଜି ହଠାତ ମନମୋହନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ତେଣୁ ଏ ଭେଳିକି ଦେଖାଇ ଓଡିଶାର ଚାଷୀ କୂଳକୁ ବିଭ୍ରାନ୍ତ କରିବା ଲାଗି ସେ ଆଜି ଆଗେଇ ଆସିଛନ୍ତି । ୭ ବର୍ଷ ଭିତରେ ଚାଷୀଙ୍କ ଏମଏସପି ବଢେଇବାକୁ ବିଜେପିର ବିଧାୟକ ମାନେ କାହିଁକି ମୁହଁ ଖୋଲିଲେ ନାହିଁ ? ଏବେ ଚାଷୀଙ୍କ ପ୍ରସଙ୍ଗ ଉଠେଇବା ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି । ଯେଉଁଭଳି ଭାବେ ମନମୋହନ ସାମଲ ନିରବ ଦ୍ରଷ୍ଟା ସାଜିଲେ, ଆଜି ତାଙ୍କର ମନ୍ତବ୍ୟ ଖୋକଲା ଲାଗୁଛି । ମନମୋହନଙ୍କ ଏହି ମନ୍ତବ୍ୟ ବିଜେପି ଓ ବିଜେପି ବିଧାୟକଙ୍କର ଅକର୍ମନ୍ୟତାକୁ ଦର୍ଶାଉଛି । ନିର୍ବାଚନ ରଣାଙ୍ଗନରେ ମନମୋହନ ଚାଷୀଙ୍କୁ ମୋହରା ନ ବନାନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଚାଷୀ ମାନେ ବିକଶିତ ହୋଇଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ । ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି ବୋଲି କହି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ମନମୋହନ ସାମଲ ।