ଚୋର, ବଦ୍‌ନାମ ପ୍ରାର୍ଥୀଙ୍କୁ ଭୋଟ ଦିଅନି:ନବୀନ

May 5, 2024 - 12:09
 5410
ଚୋର, ବଦ୍‌ନାମ ପ୍ରାର୍ଥୀଙ୍କୁ ଭୋଟ ଦିଅନି:ନବୀନ

ଭୁବନେଶ୍ୱର : ରାଜନୀତିରେ ଜନବିରୋଧୀ ଓ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ବିଶେଷଙ୍କର ସ୍ଥାନ ନାହିଁ। ଏଣୁ ଭଲ ଲୋକଙ୍କୁ ଚିହ୍ନନ୍ତୁ ଓ ଭୋଟ ଦିଅନ୍ତୁ, କିନ୍ତୁ ଚୋରଙ୍କୁ ନୁହଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏଭଳି ଶବ୍ଦ ପ୍ରୟୋଗ କରି ନିର୍ବାଚନ ପ୍ରଚାର କରିଛନ୍ତି। ନବୀନ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ମିଶି ଗଜପତି ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାରାଥନ୍‌ ପ୍ରଚାର କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ସାଂସଦ ପ୍ରାର୍ଥୀ ଏବଂ ୧୩ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ନିବେଦନ କରିଥିଲେ। ସେହିଭଳି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ବିଧାନସଭା ଆସନର ପ୍ରାର୍ଥୀ ଅନ୍ତର୍ୟାମୀ ଗମାଙ୍ଗଙ୍କ ପାଇଁ ଭୋଟ୍‌ ମାଗିଥିଲେ ନବୀନ। ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ବିଶେଷ କରି ମମତା, ଲକ୍ଷ୍ମୀ, ବିଏସ୍‌କେୱାଇ, କାଳିଆ, ଛାତ୍ରବୃତ୍ତି, ମଧୁବାବୁ ପେନ୍‌ସନ, ମିସନ୍‌ଶକ୍ତି ଇତ୍ୟାଦି ଯୋଜନା କିପରି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ।

ବହୁତ ଭଲ ବୋଲି ସମ୍ମିଳିତ ଜନତାଙ୍କ ଉତ୍ତର ମିଳିଥିଲା। ଶେଷ‌ରେ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କରିଥିଲେ। ବିଜେଡି ନେତା ଶ୍ରୀ ପାଣ୍ଡିଆନ ନିଜ ଅଭିଭାଷଣରେ ବିରୋଧୀ ଦଳ, ବିଶେଷ କରି ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ଡବଲ୍‌ ଇଞ୍ଜିନ ଲୋକେ ଗ୍ରହଣ କରିବେ ନାହିଁ। ବରଂ ଓଡ଼ିଶାବାସୀ କେବଳ ନବୀନ ଇଞ୍ଜିନ୍‌କୁ ଗ୍ରହଣ କରିବେ। ଓଡ଼ିଆଙ୍କ ଅସ୍ମିତା ଏବଂ ବିଜେଡିର ଆଭିମୁଖ୍ୟକୁ ବିଜେପି ଯଦି ଟାର୍ଗେଟ କରୁଛି, ତେବେ ସତ୍‌ସାହସ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ। 
ସେହିଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଜନସଭାକୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ବିରୋଧୀଙ୍କୁ ଶାଣିତ ଭାଷାରେ ସମାଲୋଚନା କରିଥିଲେ। ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ଜନତାଙ୍କୁ ପଚାରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ବିରୋଧୀ ସହି ପାରୁନାହାନ୍ତି। ମିଛ ପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ। ନବରଙ୍ଗପୁର ସର୍କିଟ ହାଉସ୍‌ ନିକଟସ୍ଥ ପଡିଆରେ ଜିଲ୍ଲା ପର୍ୟ୍ୟବେକ୍ଷକ ଈଶ୍ବର ପାଣିଗ୍ରାହୀଙ୍କ ସଂଯୋଜନାରେ ହୋଇଥିବା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ କଥାକୁ ଦୋହରାଇଥିଲେ। ସରକାରଙ୍କ ଉପଲବ୍ଧି ସଂପର୍କରେ ପଚାରି ବୁଝିବା ସହ ବିରୋଧୀଙ୍କ ଅପପ୍ରଚାରରେ ଭ୍ରମିତ ନହେବାକୁ ପରାମର୍ଶ ଦେଇଥିଲେ।
ରାୟଗଡ଼ା ଜିଲ୍ଲା ଟିକିରିରେ ଜିଲ୍ଲା ସଭାପତି ଏନ୍‌. ଭାସ୍କର ରାଓଙ୍କ ସଭାପତିତ୍ବରେ ଆୟୋଜିତ ସମାବେଶର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରଥମେ ହାଲ୍‌ଚାଲ୍‌ ପଚାରି ରାଜ୍ୟ ସରକାରଙ୍କ ଯୋଜନାରେ କିଭଳି ସମେସ୍ତ ଉପକୃତ ହେଉଛନ୍ତି ଜାଣିବାକୁ ଚାହିଥିଲେ। ସଂକ୍ଷିପ୍ତ କିନ୍ତୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଭାଷଣ ରଖି କହିଥିଲେ, ରାଜ୍ୟର ପ୍ରତ୍ୟେକ ଯୋଜନାକୁ ସମାଲୋଚନା କରି ବନ୍ଦ କରିଦେବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି ବିରୋଧୀ। ସେମାନଙ୍କୁ ଉପଯୁକ୍ତ ଜବାବ ଦରକାର।