ଜେଲରେ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ମତଦାନ କେନ୍ଦ୍ରରେ ହିଂସା ଓ ଇଭିଏମ ଭଙ୍ଗାରୁଜା କରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ତଥା ଚଳିତଥର ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନମ୍ବର ବୁଥରେ ଗତକାଲି ପ୍ରଶାନ୍ତ ତାଙ୍କର କିଛି ସମର୍ଥକଙ୍କ ସହ ଇଭିଏମ ଭଙ୍ଗାରୁଜା ଓ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା ।
କେନ୍ଦ୍ରରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ଏତଲାକ୍ରମେ ପ୍ରଶାନ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଅପରାହ୍ନରେ ପୋଲିସ ତାଙ୍କୁ ଅଟକ ରଖି ହେପାଜତକୁ ନେବା ସହ ସଂଧ୍ୟାରେ ଗିରଫ କରିଥିଲା । ସଂଧ୍ୟାରେ ହିଁ ତାଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ବେଲ୍ ନାମଞ୍ଜୁର ହେବା ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ, ପ୍ରଶାନ୍ତ ଜଗଦ୍ଦେବ ଗତକାଲି (ଶନିବାର) ଅପରାହ୍ନରେ ନିଜ ପତ୍ନୀଙ୍କ ସହ ବେଗୁନିଆ ନିର୍ବାଚନ ମଣ୍ଡଳୀର କାଉଁରିପାଟଣା ବୁଥକୁ ଭୋଟ ଦେବାକୁ ଯାଇଥିଲେ । ସେଠାରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା । ପ୍ରଶାନ୍ତ ଓ ତାଙ୍କ ସମର୍ଥକ ଗୋଷ୍ଠୀ ସହ ଅପରପକ୍ଷର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶାନ୍ତ ଗୋଟିଏ ଇଭିଏମ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପ୍ରିଜାଇଡିଂ ଅଧିକାରୀ ଏତଲା ଦେବା ପରେ ପୋଲିସ ସଂଧ୍ୟାରେ ତାଙ୍କୁ ବିଧିବଦ୍ଧ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପ୍ରଶାନ୍ତ ଏବେ ଜେଲରେ ଅଛନ୍ତି ।