ନୂଆ ନେତା ତିଆରି କରିପାରୁନି ବିଜେପି :ବିଜେଡି

ଭୁବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବୁଧବାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଦୀପ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ତେବେ ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି।
ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପିରେ ସାମିଲ ଘଟଣାକୁ ନେଇ ବର୍ଷିଛି ବିଜେଡି। ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଅଭିଯୋଗ କରିଛନ୍ତି ‘‘ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପଙ୍କୁ ଜଣେ ଦୁର୍ନୀତି ଖୋର ବୋଲି କହିଥିଲେ। ଆଉ ଏବେ କିପରି ଦଳରେ ସାମିଲ କଲେ ? ସେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ଲୋକଙ୍କ ଟଙ୍କା ଠୁଳ କରି ଚାଟାର୍ଡ ପ୍ଲେନ, ବିଭିନ୍ନ ହୋଟେଲ ବୁଲି ଅୟସ କରୁଥିଲେ। ପ୍ରଦୀପଙ୍କ ନାମରେ ଅନେକ ଠକେଇ ମାମଲା ରହିଛି । ଏନେଇ ଚାର୍ଜ ଫ୍ରେମ ମଧ୍ୟ ହୋଇଛି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ କଡ଼ା ଏବଂ କୋଠର ଆଭିମୁଖ୍ୟ ନେଇ ବିଜେଡିରୁ ବହିଷ୍କୃତ କରିଥିଲେ।’’
ସେ ଆହୁରି କହିଛନ୍ତି ‘‘ଏକଥା ରାଜନାଥ ସିଂ ଜାଣିବାକୁ ପାଇଛନ୍ତି ସେଥିପାଇଁ ସେ ଆସିବାକୁ ସଫା ସଫା ମନା କରିଦେଲେ । ଏଣୁ ବିଜେପି ତରବରିଆ ଭାବରେ ମିଶ୍ରଣ କଲା । ବିଜେପିର ସଂଗଠନ ଦୁର୍ବଳ ହୋଇଯାଇଛି । ନୂଆ ନେତା ତିଆରି କରିପାରୁନି ସେଥିପାଇଁ ଠକଙ୍କୁ ନେଇ ଦଳରେ ସାମିଲ କରୁଛି ବିଜେପି ।’’