ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ
alliance India
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ । ସାଧାରଣ ନିର୍ବାଚନରେ ଦିଲ୍ଲୀ ଲୋକସଭା ଆସନ ପାଇଁ ଆପ୍ ସହ ମେଣ୍ଟ କରିବ ନାହିଁ କଂଗ୍ରେସ । ବୁଧବାର ଦିଲ୍ଲୀରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନେତା ବୈଠକ କରିଥିଲେ । ଦଳର ସଭାପତି ମଲ୍ଲକାର୍ଜନୁ ଖଡଗେ, ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ୪ ଘଣ୍ଟା ଧରି ୪୦ ନେତା ବୈଠକ କରିଥିଲେ । ଯେଉଁଥିରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି ।
ଅନ୍ୟପକ୍ଷରେ ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଯଦି ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି କଂଗ୍ରେସ ନିଷ୍ପତ୍ତି ନେଇ ସାରିଛି ତେବେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ଆପ୍ ଯୋଗଦେବ ନାହିଁ । ଏହାପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ ବୋଲି କୁହାଯାଉଛି । ଅନ୍ୟପଟେ ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆ ଏପରି ଚର୍ଚ୍ଚାକୁ ଖାରଜ କରିଛନ୍ତି । ଦଳର ନେତ୍ରୀ ଅଳକା ଲାମ୍ବା ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ବିବାଦ ବଢିବା ପରେ ସଫେଇ ରଖିଛନ୍ତି ।