ମଧ୍ୟପ୍ରଦେଶ ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ଓ ୭ ସାଂସଦ
ନୂଆଦିଲ୍ଲୀ: ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଛି । ଏମାନଙ୍କ ମଧ୍ୟରେ ପ୍ରହ୍ଲାଦ ପଟେଲ, ନରେନ୍ଦ୍ର ସିଂ ତୋମାର ଓ ଫଗନ ସିଂ କୁଲସ୍ତେ ମୋଦି ସରକାରରେ ମନ୍ତ୍ରୀ ଅଛନ୍ତି । ଡିମନି ନିର୍ବାଚନ ମଣ୍ଡଳୀରୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଇନ୍ଦୋର-୧ ଆସନରୁ ବିଜେପି ନିଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କୁ ନିବାସ ଆସନରୁ ପ୍ରାର୍ଥୀ କରିଥିବାବେଳେ ଦଳୀୟ ସାଂସଦ ରାକେଶ ସିଂହ ଜବଲପୁର ପଶ୍ଚିମଆସନରୁ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନରସିଂହପୁର ଆସନରୁ ପ୍ରାର୍ଥୀ ହେବେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାୟ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଛି । ସେଥିନିମନ୍ତେ ୨୦୨୩ ବିଧାନସଭା ନିର୍ବାଚନକୁ ଯେକୌଣସି ମୂଲ୍ୟରେ ବିଜେପି ଜିତିବାକୁ ଚାହୁଁଛି ବୋଲି ଅଲୋଚନା ହେଉଛି ।