ଦିଲ୍ଲୀରେ ଚାଲିବ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ୍‌ ବସ୍‌

Sep 26, 2023 - 03:20
 7
ଦିଲ୍ଲୀରେ ଚାଲିବ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ୍‌ ବସ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ସବୁଜ ହାଇଡ୍ରୋଜେନ୍‌ ବସ୍‌ ଚାଲିବ । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବାରେ ଏହି ବସ୍‌ ବେଶ ସହାୟକ ହେବ । ଖୁବ୍‌ ଶୀଘ୍ର ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଚିହ୍ନିତ ମାର୍ଗରେ ସବୁଜ ହାଇଡ୍ରୋଜେନ୍‌ ଦ୍ୱାରା ଚାଳିତ ୧୫ଟି ବସ ଚାଲିବ ବୋଲି ଶ୍ରୀ ପୁରୀ କହିଛନ୍ତି । ଭାରତର ସବୁଠାରୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଏହି ବସ୍‌ ନିର୍ମାଣ କରିଛି ଏବଂ ୨୦୨୩ ଶେଷ ସୁଦ୍ଧା ଏହି ବସ୍‌ ସଂଖ୍ୟା ୧୫କୁ ବୃଦ୍ଧି ହେବ ବୋଲି ସୂଚନା ମିଳିଛି । ନବୀକରଣ ଯୋଗ୍ୟ ଉତ୍ସରୁ ବିଦ୍ୟୁତ୍‌ ବ୍ୟବହାର କରି ଜଳ ବିଭାଜନ କରି ଆଇଓସି ପ୍ରାୟ ୭୫ କିଲୋଗ୍ରାମ ହାଇଡ୍ରୋଜେନ ଉତ୍ପାଦନ କରିବ । ଏହି ହାଇଡ୍ରୋଜେନ ଦୁଇଟି ବସ୍‌କୁ ଶକ୍ତି ଯୋଗାଇବା ପାଇଁ ବ୍ୟବହାର କରାଯିବ । ପରୀକ୍ଷାମୂଳକ ଭାବେ ଏବେ ଏହା ଦିଲ୍ଲୀରେ ଚାଲିବ ଫରିଦାବାଦରେ ଥିବା ଆଇଓସି ପ୍ଲାଣ୍ଟ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରୁଛି  । ୩୦ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଚାରୋଟି ସିଲିଣ୍ଡର ଥିବା ବସ୍‌ ଥରକେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ସମସ୍ତ ଚାରୋଟି ଟ୍ୟାଙ୍କ ପୂରଣ କରିବାକୁ ୧୦-୧୨ ମିନିଟ୍‌ ସମୟ ଲାଗେ ଓ  ଏକ କିଲୋଗ୍ରାମ ସବୁଜ ହାଇଡ୍‌ରୋଜେନ ଉତ୍ପାଦନ ପାଇଁ ୫୦ ୟୁନିଟ୍‌ ଅକ୍ଷୟ ବିଦ୍ୟୁତ୍‌ ଏବଂ ୯ କିଲୋଗ୍ରାମ ଡିଓନାଇଜଡ୍‌ ଜଳ ଆବଶ୍ୟକ କରେ ।