ରିଜର୍ଭ ବ୍ୟାଙ୍କ, ଏଥର ବି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା
ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ। ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍।ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ସମୟରେ ସେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।
ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ଏହା ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହେଇଥିଲା । ସେବେଠୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ତେବେ ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି ।
ଏହାବାଦ୍ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ସ୍ଥିର ରଖିଛି । ଯାହାକି ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି । ଅନ୍ୟପଟେ ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ସେପଟେ ରିଜର୍ଭ ବ୍ୟାଙ୍କ ଗର୍ଭଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବକ, ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା କାୟମ୍ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।