ଶୁବମନ ଗିଲ୍ଙ୍କ ଶତକ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୁବମନ ଗିଲ୍ ଶତକ କରିଛନ୍ତି । ୧୩୨ଟି ବଲ୍ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଶତକ ପୂରଣ କରିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ ଶତକ। ତେବେ ଶୁବମନ ଗିଲ୍ ୧୦୪ ରନ୍ (୧୪୭ ବଲ୍) କରି ଆଉଟ୍ ହୋଇଯାଇଥିଲେ।
ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୫୩ ରନ୍ରେ ଅଲ୍ ଆଉଟ୍ ହୋଇଯିବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ରନ୍ ଓ ଯଶସ୍ୱୀ ଜୈସ୍ୱାଲ ୧୫ ରନ୍ କରି ଅପରାଜିତ ଥିଲେ। ଆଜି ପୁଣି ଏହି ଓପନର ଯୋଡ଼ି ଦଳର ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଦୁହେଁ ଆଉଟ୍ ହୋଇଯାଇଥିଲେ। ରୋହିତ ୧୩ ରନ୍ରେ ଆଉଟ୍ ହୋଇଯାଇଥିଲେ। ସେ ଯିବାର କିଛି ସମୟ ପରେ ଯଶସ୍ୱୀ ଆଉଟ୍ ହୋଇଥିଲେ। ସେ ଆଜି ଆଉ ୨ ରନ୍ କରି ୧୭ ରନ୍ରେ ଆଉଟ୍ ହୋଇଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ଜେମ୍ସ ଆଣ୍ଡରସନ୍।
ଏଭଳି ସ୍ଥିତିରେ ଶୁବମନ ଗିଲଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଥିଲା। ଆଉ ସେ ଏହାକୁ ତୁଲାଇଥିଲେ। ଶ୍ରେୟସ ଆୟରଙ୍କୁ ସାଥୀ କରି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୮୧ ରନ୍ର ପାର୍ଟନରଶିପ ହୋଇଥିଲା। କିନ୍ତୁ ୨୯ ରନ୍ କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଶ୍ରେୟସ। ପରେ ପରେ ରଜତ ପଟିଦାର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଶୁବମନ ବିଚଳିତ ନ ହୋଇ ଖେଳି ଚାଲିଥିଲେ। ଅକ୍ଷର ପଟେଲ କ୍ରିଜ୍କୁ ଆସିବା ପରେ ଦୁହଁଙ୍କ ଯୋଡ଼ି ଭଲ ଜମି ଥିଲା।
ପଞ୍ଚମ ୱିକେଟ୍ରେ ଶୁବମନ ଗିଲ୍ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ୮୯ ରନ୍ର ପାର୍ଟନରଶିପ୍ ହୋଇଥିଲା। ଶୁବମନ ଗିଲ୍ ୧୦୪ ରନ୍ (୧୪୭ ବଲ୍) କରି ଆଉଟ୍ ହୋଇଯାଇଥିଲେ।