ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି:ସୌମ୍ୟ

Jun 6, 2024 - 12:56
 4123
ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି:ସୌମ୍ୟ

ଭୁବନେଶ୍ବର: ଓଡ଼ିଶା ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । କ୍ରୀତଦାସଙ୍କୁ ନେଇ ଦଳ ଚାଲେ ନାହିଁ କହିବା ସହ ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି ବୋଲି କହି ବିଜେଡି ଟପ୍ ଲିଡରସିପକୁ ଟାର୍ଗେଟ କରିଛନ୍ତି ସୌମ୍ୟ । ସୌମ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଇବାରେ କାର୍ପଣ୍ୟତା କରିନାହାନ୍ତି । ଓଲଟା ଜନସାଧାରଣଙ୍କ ଭଲପାଇବା ବଦଳରେ ନବୀନ ତାଙ୍କୁ କ’ଣ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲୋକେ ଅଧିକରୁ ଅଧିକ ଭୋଟ ଦେଲେ । ହେଲେ ଏଥର କାହିଁକି ଭୋଟ କମେଇଦେଲେ । ନବୀନଙ୍କୁ ଗୋଟିଏ ଜାଗାରେ ହରାଇ ମଧ୍ୟ ଦେଲେ । ଯେଉଁଠି ମଧ୍ୟ ଜିତାଇଲେ ଦୟାକରି ଜିତାଇଲେ । ମାତ୍ର ୪ ହଜାର ଭୋଟରେ ନବୀନ ଜିତିଛନ୍ତି । ଏଥିରୁ ସ୍ପଷ୍ଟ ବାର୍ତ୍ତା ଆସୁଛି ଯେ, ରାଜନେତା ହିସାବରେ ନବୀନ ବାବୁଙ୍କର କ'ଣ କରିବା ଉଚିତ ଥିଲା । ନବୀନଙ୍କ ଖଣ୍ଡି ଓଡ଼ିଆ ଭାଷା କହିବାକୁ ଟାର୍ଗେଟ କରିଛନ୍ତି ସୌମ୍ୟ । ମୁଁ ତୁମକୁ ଭଲ ପାଉଛି, ଅନ୍ତତଃ ତୁମେ ମୋ ଭାଷାକୁ ଭଲ ପାଇବ । କ’ଣ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିଲେ ୨୫ ବର୍ଷରେ ଓଡ଼ିଆ ଭାଷା ଶିଖିପାରିନଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ଏହାସହ କ୍ରୀତଦାସ, ଓଡ଼ିଆ ଅସ୍ମିତା କଥା ନେଇ ସେ ବର୍ଷିଛନ୍ତି । ସ୍ବର୍ଗତ ନେତା ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଚାକର ଉକ୍ତି ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ରୀତଦାସ କଥାକୁ ଉଦାହରଣ ଦେଇ ଟାର୍ଗେଟ କରିଛନ୍ତି ସୌମ୍ୟ । ସେହିପରି ଭିକେ ପାଣ୍ଡିଆନଙ୍କ ବିଷୟରେ ଆଲୋଚନା କରି ମୁଁ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହେଁନି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳରେ ଥିବାବେଳେ ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା । କିଛି ପରାମର୍ଶ ମଧ୍ୟ ଦିଆନିଆ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ । ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲାନାହିଁ । ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ମୋତେ ତାଙ୍କ ଦଳର ସମ୍ପତ୍ତି ବୋଲି କହୁଥିଲେ । ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ନବୀଙ୍କ ପରାଜୟର କାରଣ ସମ୍ପର୍କରେ ମଧ୍ୟ ସୌମ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନାହିଁ । ଭବିଷ୍ୟତ ବେଶ ଉଜ୍ଜଳ ହୁଏନାହିଁ । ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ ସେ ପରାମର୍ଶ ଦେଇଛନ୍ତି ।