୫ ବର୍ଷରେ ରାଜ୍ୟରେ ମରିଛନ୍ତି ୪୦୩ ହାତୀ

Jun 6, 2024 - 12:28
 3559
୫ ବର୍ଷରେ ରାଜ୍ୟରେ ମରିଛନ୍ତି ୪୦୩ ହାତୀ

ଭୁବନେଶ୍ବର: ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ଟି ହାତୀ ମରିଛନ୍ତି । ୨୦୨୩ ଅର୍ଥାତ୍ ଗତବର୍ଷ ୬୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨,୦୯୮ଟି ହାତୀ । ୨୦୧୭ ମସିହା ଗଣନା ସମୟରେ ଏହି ସଂଖ୍ୟା ୧,୯୭୬ ଥିଲା । ଗତ ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି । ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ ହାତୀ ଥିବାବେଳେ ୧ ହଜାର ୩୯ଟି ମାଈ ହାତୀ ଓ ୫୯୪ଟି ଛୁଆ ହାତୀ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।ପିସିସିଏଫଙ୍କ ସୂଚନା ଅନୁସାରେ, ଗତ ୫ ବର୍ଷରେ ରାଜ୍ୟରେ ୪୦୩ ହାତୀ ମରିଛନ୍ତି । ଅର୍ଥାତ୍ ବର୍ଷକୁ ୩-୪ % ହାତୀ ମରୁଛନ୍ତି ଯାହାକି ସ୍ଵାଭାବିକ । ଗତବର୍ଷ ୬୬ ହାତୀଙ୍କ ମୃତ୍ୟୁ ହୋଇଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହା କାର୍ୟ୍ୟକାରୀ ହେବ ।

ସୂଚନା ଥାଉକି, ହାତୀଙ୍କ ଉପସ୍ଥିତ ଥିବା ରାଜ୍ୟର ୪୬ଟି ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ଜଙ୍ଗଲରେ ୧ ହଜାର ୧୩୬ଟି ମଞ୍ଚା ନିର୍ମାଣ ହୋଇଥିଲା । ଏହାସହ ବାରାକ, ୱାଚ ଟାୱାରଙ୍କ ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନକୁ ଗଣନା କାର୍ୟ୍ୟ ସମୟରେ ବ୍ୟବହାର କରାଯାଇଥିଲା । ଗତ ମାସ ୨୨ ତାରିଖରୁ ୨୪ ତାରିଖ ଅର୍ଥାତ ତିନି ଦିନ ପର୍ୟ୍ୟନ୍ତ ହାତୀ ଗଣନା ଚାଲିଥିଲା । ରାଜ୍ୟର ହାତୀ ଧାରଣ କ୍ଷମତା ଅନୁସାରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି । ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେ ସମୟରେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱର ୧୫ରୁ ୧୭ ଯାଏଁ ପୁଣିଥରେ ହାତୀ ଗଣନା କରାଯିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।