ଚାରି ଦ୍ବାର ଖୋଲିବା ଦାବି: ୧୬ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ

Oct 12, 2023 - 06:32
 1
ଚାରି ଦ୍ବାର ଖୋଲିବା ଦାବି: ୧୬ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ

ଭୁବନେଶ୍ବର: ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବି । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କଲା କଂଗ୍ରେସ । ଆସନ୍ତା ୧୬ ତାରିଖରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ ପ୍ରଦେଶ କଂଗ୍ରେସ କମିଟି । ବୁଧବାର ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାର ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଏବଂ ଅନୀତି କାର୍ୟ୍ୟକୁ ଘୋର ନିନ୍ଦା କରିଥିଲେ ।

ପିସିସି ସଭାପତି କହିଥିଲେ ଯେ, ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ସାରା ଓଡ଼ିଶା ଏବଂ ବିଶ୍ୱର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ୱାରା ଆଗାମୀ କାର୍ତ୍ତିକ ମାସରେ ସେଠାରେ ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରି ଦ୍ୱାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି କରିଥିଲା । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ୟ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ କଂଗ୍ରେସ ଚେତାବନୀ ଦେଇଛି । ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି । ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ଶରତ।

ସେହିପରି ସେ ଆହୁରି ମଧ୍ୟ କହିଥିଲେ ଯେ, ରତ୍ନାଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି, ଓ ମରାମତି କାର୍ୟ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ୟ୍ୟକ୍ରମକୁ ସଂଯୁକ୍ତ କରାନଯାଉ । ଆସନ୍ତା ୧୬ ତାରିଖରେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ସମୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହାପରେ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସଂପର୍କରେ ଏକ ସ୍ମାରକପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତ୍ତି କାର୍ୟ୍ୟକ୍ରମ ଧାର୍ୟ୍ୟ କରିବ ବୋଲି ପିସିସି ସଭାପତି ସୂଚନା ଦେଇଥିଲେ ।