ରାଜ୍ୟର ସର୍ବାଧିକ ଠକ ବେପାରୀଙ୍କ ଆଡ୍ଡା ପାଲଟିଛି ରାଉରକେଲା
RourkelaRourkela GST Fraud
ରାଉରକେଲା: ଜିଏସ୍ଟି ଠକେଇରେ ଓଡିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା । ରାଜ୍ୟରେ ୯,୭୪୨ଟି ନକଲି ବିଲ୍ରେ ୧୭୯୨ କୋଟି ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ସୂଚାନ ମଳିଛି । ଏଥିରୁ ରାଉରକେଲାରେ କେବଳ ୫୦୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି । ୨୫୦୦ କୋଟିର ନକଲି ବିଲ୍ ଜରିଆରେ ଠକମାନେ ୫୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଠକେଇ କରିଥିଲେ । ଆଜି ପର୍ଯ୍ୟନ୍ତ ଜିଏସ୍ଟି ୱିଙ୍ଗ ରାଜ୍ୟର ୨୮ ଜଣ ଜିଏସ୍ଟି ଠକଙ୍କୁ ଗିରଫ କରି ଜେଲ୍ ପଠାଇଛି । ସେମାନଙ୍କ ମଧ୍ୟରୁ କେବଳ ୧୫ ଜଣ ହେଉଛନ୍ତି ରାଉରକେଲାର । କେବଳ ଏତିକି ନୁହେଁ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ରାଜ୍ୟରେ ୩୦ ହଜାର ନକଲି ଜିଏସ୍ଟି ପଞ୍ଜୀକରଣକୁ ବାତିଲ କରିଛି । ଏଥି ମଧ୍ୟରୁ ପ୍ରାୟ ୩୦% ନକଲି ଜିଏସ୍ଟି ପଞ୍ଜୀକରଣ କେବଳ ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା ଜଣାପଡିଛି । ନକଲି ବିଲ୍ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍ଟି ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍ଟି ଟିମ୍ କୋଇଡା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କାବଜାରର ରାକେଶ କୁମାର କାନୋଡିଆଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି । ତାଙ୍କ ନିକଟରୁ ୧୨ କମ୍ପାନି ସହ କାରବାର କରିଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ରାକେଶ ଜିନିଷପତ୍ର ବିକ୍ରି ନ କରି ଏସବୁ କମ୍ପାନି ସହ କାଗଜପତ୍ରରେ ମୋଟ ୫୫ କୋଟି ଟଙ୍କାର କାରବାର ଦର୍ଶାଇଥିଲେ । ଏ ବାବଦରେ ମୋଟ ୮ କୋଟି ୭୦ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ କରିଥିବା ଜଣାପଡିଛି ।