୧୧ ଦିନରେ ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ, ୧୧ କୋଟିର ଦାନ : ଅଯୋଧ୍ୟା ରାମ ମନ୍ଦିର
ଅଯୋଧ୍ୟା: ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଗତ ୧୧ ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି ଏବଂ ଅର୍ପଣ ଓ ଦାନ ପରିମାଣ ୧୧ କୋଟି ଟଙ୍କା ଅତିକ୍ରମ କରିଛି।
ମନ୍ଦିର ଟ୍ରଷ୍ଟର ଦାୟିତ୍ୱରେ ଥିବା କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତାଙ୍କ କହିବା ଅନୁସାରେ, ଗତ ୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍ ଓ ଅନଲାଇନ୍ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି। ମନ୍ଦିରର ଗର୍ଭଗୃହରେ ଯେଉଁଠି ରାମଲାଲା ବସିଛନ୍ତି ସେଠାରେ ଗର୍ଭଗୃହ ସମ୍ମୁଖ ଦର୍ଶନ ପଥ ନିକଟରେ ୪ଟି ବଡ଼ ଆକାରର ଦାନବାକ୍ସ ରଖାଯାଇଛି, ଯେଉଁଥିରେ ଶ୍ରଦ୍ଧାଳୁମାନେ ଟଙ୍କା ଦାନ କରିଥାନ୍ତି। ଏହାବ୍ୟତୀତ ଲୋକମାନେ ୧୦ଟି କମ୍ପ୍ୟୁଟରିକୃତ କାଉଣ୍ଟରରେ ଦାନ ମଧ୍ୟ କରିଥାନ୍ତି।
ଦାନ କାଉଣ୍ଟରରେ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ଏବଂ ପ୍ରତିଦିନ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ସେମାନେ ଟ୍ରଷ୍ଟ କାର୍ଯ୍ୟାଳୟରେ ପ୍ରାପ୍ତ ଦାନ ରାଶିର ହିସାବ ଦାଖଲ କରୁଛନ୍ତି। ୧୧ଜଣ ବ୍ୟାଙ୍କ କର୍ମଚାରୀ ଓ ମନ୍ଦିର ଟ୍ରଷ୍ଟର ୩ ଜଣିଆ ଟିମ୍ ୪ଟି ଦାନ ବାକ୍ସରେ ସଂଗୃହୀତ ରାଶିର ଗଣନା କରୁଛନ୍ତି। ଗୁପ୍ତା କହିଛନ୍ତି ଯେ ଦାନ ରାଶି ଜମା କରିବାଠାରୁ ଆରମ୍ଭ କରି ଗଣନା ପର୍ଯ୍ୟନ୍ତ ସବୁ କିଛି ସିସିଟିଭି କ୍ୟାମେରାର ନଜରରେ ରହିଛି।