ଲାଡଲୀ ବେହନା ଭାଇରାଲ୍ ଭିଡିଓ : ମଦ୍ୟପାନ କରୁଥିବା ମହିଳାମାନଙ୍କର ଭିଡିଓ ସତ କିନ୍ତୁ ପୃଷ୍ଠଭୂମି ବିଭ୍ରାନ୍ତିକର
ladli behna viral video fact

୩ ଡିସେମ୍ବର ୨୦୨୩ରେ ଭାରତର ୪ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇ ଥିବାବେଳେ ରାଜସ୍ଥାନ ଓ ଛତିଶଗଡରେ ପୁର୍ନବାର ବିଜୟ ହାସଲ କରିଛି । ଭାରତୀୟ ଜନତା ପାର୍ଟିର ଏହି ସର୍ବଳତାରେ ଉତ୍ସାହିତ ହୋଇ ଲାଡଲି ଭଉଣୀମାନେ ମଦ୍ୟପାନ କରି ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ଉତ୍ସବ ପାଳନ କରୁଛନ୍ତି ବୋଲି ଦାବୀ କରୁଥିବା ଏକ ୨୫ ସେକେଣ୍ଡର ଭିଡିଓ ଇଂଟରନେଟ୍ରେ ଖୁବ୍ ଜୋରରେ ଭାଇରାଲ ହୋଇଛି । ଏକାଠି ଗୋଟିଏ ଜାଗାରେ ବସି ଭୋଜି କରୁଥିବା ଏହି ମହିଳାମାନେ ମଧ୍ୟପ୍ରଦେଶରେ ବିଜେପିର ବିଜୟକୁ ପାଳନ କରୁଛନ୍ତି ବୋଲି ଏହାକୁ ଶେଆର କରିଥିବା ବ୍ୟକ୍ତି ମତ ରଖିଛନ୍ତି । ମଧ୍ୟପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନ ମହିଳାମାନଙ୍କୁ ‘ଲାଡଲୀ ବେହନା’ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଏବଂ ବିଜେପି ମଧ୍ୟପ୍ରଦେଶରେ ପୁଣିଥରେ ଜିତିବା ପଛରେ ଏହି ଯୋଜନାର ବଡ ଭୂମିକା ଅଛି ବୋଲି ଅନେକ ଦାବୀ କରୁଥିବାରୁ ଏଭଳି ଏକ ଭିଡିଓ ଶେଆର କରାଯାଇ ଲାଡଲୀ ବେହନାମାନଙ୍କର ଖୁସିକୁ ସମସ୍ତଙ୍କୁ ଜଣାଇବାକୁ ଏହି ଭିଡିଓରେ ପ୍ରୟାସ କରାଯାଇଛି । ତେବେ ଅସଲ କଥା ହେଉଛି ଏହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବରେ ସତ ଭିଡିଓ । ଏହି ଭିଡିଓରେ ଯେଉଁ ମହିଳାମାନେ ବସିଛନ୍ତି ସେମାନେ ସମସ୍ତେ ଭୋଜିରେ ବସି ଖାଦ୍ୟ ଉପଭୋଗ କରିବା ସହିତ ମଦ୍ୟପାନ କରୁଛନ୍ତି । କିନ୍ତୁ ଯେଉଁ ପୃଷ୍ଠଭୂମିରେ ଏହା କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ । ଅର୍ଥାତ ଏହି ଭିଡିଓ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ସମର୍ଥକମାନଙ୍କର ଉତ୍ସବର ଭିଡିଓ ନୁହେଁ । ଏହା ମଧ୍ୟପ୍ରଦେଶର ଭିଡିଓ ମଧ୍ୟନୁହେଁ । ଏହି ଭୋଜିଭାତର ମଜାଉଠାଉଥିବା ମହିଳାମାନଙ୍କ ଭିଡିଓଟି ପ୍ରକୃତରେ ତାମିଲନାଡୁର ଜଣେ ଯୁବକ ୨୦୨୩ ନଭେମ୍ବର ୨୧ ତାରିଖରେ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଶେଆର କରି ଲେଖିଛନ୍ତି ଯେ, ପରିବାରର ଦାୟିତ୍ୱ ମହିଳାମାନଙ୍କ ଉପରେ ଅଛି । ଯଦି ମହିଳାମାନେ ଏମିତି ହେବେ ତେବେ ପିଲାମାନଙ୍କର ଲାଳନପାଳନ କେମିତି ହେବ? ସେହିଭଳି ଏକ ଜାତୀୟ ସ୍ତରରେ କାମ କରୁଥିବା ଗଣମାଧ୍ୟମ ସଂସ୍ଥାଦ୍ୱାରା ମଧ୍ୟ ଏହି ଭିଡିଓର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ହୋଇଥିବା ଯାଂଚରେ ଏହି ଭିଡିଓ ଟି ତେଲେଙ୍ଗାନାର ଏବଂ ଅକ୍ଟୋବର ୨୦୨୩ରେ ହୋଇଥିବା କୌଣସି ଏକ ଆଞ୍ଚଳିକ ଉତ୍ସବ ପାଇଁ ଆୟୋଜିତ ଭୋଜିରେ ମହିଳାମାନେ ଏଭଳି ମଦ୍ୟପାନ କରୁଥିବା ଭିଡିଓ ‘ବନଜାରା ଅଶ୍ୱିଥା’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଶେଆର କରାଯାଇଥିଲା । ଏଠାରେ ସୂଚିତ କରାଯାଇପାରେ ଯେ, ଭାଇରାଲ ହୋଇଥିବା ଭିଡିଓଟି ୨୫ ଅକ୍ଟୋବର ୨୦୨୩ ରେ ଅପଲୋଡ୍ ହୋଇଥିଲା ଏବଂ ନଭେମ୍ବରରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଥିଲା । ଅର୍ଥାତ୍ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାର ବହୁ ପୂର୍ବରୁ ଏହା ରେକର୍ଡ ହୋଇଛି । ତେଣୁ ଏହି ନିର୍ବାଚନର ବିଜୟ ଉତ୍ସବ ଭାବେ ବର୍ଣ୍ଣନା କରିବା ଭ୍ରମାତ୍ମକ ତଥ୍ୟର ଉପସ୍ଥାପନା ଛଡା ଆଉ କିଛି ନୁହେଁ । ମଦ୍ୟପାନ କରୁଥିବା ମହିଳାମାନଙ୍କର ଭାଇରାଲ୍ ଭିଡିଓ ବିଭ୍ରାନ୍ତିକର ଦାବି ସହିତ ଶେୟାର କରାଯାଇଛି । ଭିଡିଓ ମଧ୍ୟପ୍ରଦେଶର ନୁହେଁ, ସେଥିପାଇଁ ଏହି ମହିଳାମାନେ ଲାଡଲି ବେହନା ଯୋଜନାର ହିତାଧିକାରୀ ନୁହଁନ୍ତି ।