ରେଳ ବଜେଟରେ ଓଡିଶାକୁ ୧୦,୫୩୬ କୋଟି
ଭୁବନେଶ୍ୱର : ଲୋକସଭାରେ ଉପସ୍ଥାପିତ ହୋଇଛି ଅନ୍ତରୀଣ ବଜେଟ ୨୦୨୪-୨୫ । ଉପସ୍ଥାପନ ହୋଇଥିବା ରେଳ ବଜେଟରେ ଏଥର ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିବ । ରାଜ୍ୟରେ ରେଳପଥ ସମ୍ପ୍ରସାରଣ କାମ ଜୋରରେ ଦୌଡ଼ିବ । ଏହାସହିତ ଅପହଞ୍ଚ ଅଞ୍ଚଳକୁ ରେଳ ଗଡ଼ିବ । ଅତ୍ୟଧିକ ବ୍ୟସ୍ତବହୁଳ ରେଳପଥର ସମ୍ପ୍ରସାରଣ ହେବ । ଦୁଇ ଲାଇନ ରେଳପଥ ହେବ ୪ ଲାଇନ । ୪ ଲାଇନକୁ କରାଯିବ ୬ ଲାଇନ୍ । କେଉଁଠି ରେଳ ବ୍ରିଜ୍ ଛିଡ଼ା ହେବ, ଆଉ କେଉଁଠି ଭୂତଳ ବାଇପାସ୍ ନିର୍ମାଣ ହେବ । ରେଳ ବଜେଟରେ ଓଡ଼ିଶାକୁ ନେଇ ଏମିତି ମେଗା ବ୍ୟୟବରାଦ କରିଛି ମୋଦି ସରକାର ।
ତେବେ ୨୦୨୩-୨୪ରେ ଓଡ଼ିଶାକୁ ରେଳ ବଜେଟରେ ମିଳିଥିଲା ୧୦ ହଜାର ୧୨ କୋଟି ଟଙ୍କା । ଏଥର ଓଡ଼ିଶାକୁ ୫୨୪ କୋଟି ଟଙ୍କା ଅଧିକ ମିଳିବ । ୨୦୨୨-୨୩ରେ ମିଳିଥିଲା ୯୭୩୪ କୋଟି ଟଙ୍କା । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି, ରେଳ ବଜେଟରେ ଓଡ଼ିଶାକୁ ମୋଦି ସରକାର ବେଶ୍ ଗୁରୁତ୍ୱ ଦେଇଛନ୍ତି । ଉପା ସରକାର ଅମଳରେ ୨୦୦୯ରୁ ୨୦୧୪ ପର୍ୟ୍ୟନ୍ତ ରେଳ ବଜେଟରେ ଓଡ଼ିଶାକୁ ବାର୍ଷିକ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା । ମୋଦି ସରକାର ସମୟରେ ରାଜ୍ୟରେ ରେଳ ସେବାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଥର ବଜେଟରେ ଓଡ଼ିଶାକୁ ରେଳ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।