ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ

Sep 27, 2023 - 07:41
 1
ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ

ପୁରୀ:  ଶ୍ରୀମନ୍ଦିରରେ ନୀତିକାନ୍ତିରେ ଶୃଙ୍ଖଳା ଆସିପାରିନି ବାରମ୍ବାର ନିଷ୍ପତ୍ତି ପରେ ବି। ନୀତି ସମ୍ପୃକ୍ତ ସେବାୟତମାନେ ବାରମ୍ବାର ନୀତିକାନ୍ତିରେ ଅହେତୁକ ବିଳମ୍ବ କରୁଥିବାରୁ ମହାପ୍ରଭୁଙ୍କ ସେବାପୂଜା ପ୍ରଭାବିତ ହେଉଛି। ଯେଉଁଥିପାଇଁ ଗତକାଲିର ରାତ୍ର ପହୁଡ଼ ଆଜି ଭୋର ୫ଟା ୫ରେ ସମ୍ପନ୍ନ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ଯୋଗୁ ଦ୍ବାରଫିଟା ନୀତି ବି ବିଳମ୍ବ ହୋଇଛି। ଭୋର ୪ଟା ବଦଳରେ ୭ଟା ୨୫ରେ ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି। ଭକ୍ତଙ୍କ ଦର୍ଶନଠାରୁ ଆରମ୍ଭ କରି ମହାପ୍ରସାଦ ବାହାରିବା, ସବୁକିଛି ବିଳମ୍ବ ହେଉଛି। ଦୈନିକ ନୀତିକାନ୍ତି ବିଳମ୍ବର ସିଧାସଳଖ ପ୍ରଭାବ କେବଳ ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରଭାବିତ କରିନି, ଭକ୍ତମାନେ ବି ଦର୍ଶନ ପାଇଁ କଲବଲ ହୋଇଛନ୍ତି।

ପ୍ରତିଦିନ ଭୋର ୪ଟାରେ ଦ୍ବାରଫିଟା ନୀତି ହେବା କଥା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ପ୍ରତିଦିନ ପ୍ରାୟ ୬ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଛି। ଗତକାଲି ବି ଭୋର ୫ଟା ୫୫ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। କିନ୍ତୁ ଭୋଗମଣ୍ଡପ ଓ ଏହା ପରବର୍ତ୍ତୀ ନୀତିକାନ୍ତି ବିଳମ୍ବ ହୋଇଥିଲା। ମଧ୍ୟାହ୍ନଧୂପ ପ୍ରାୟ ୬ଟା ୪୫ରେ ଶେଷ ହୋଇଥିଲା। ସନ୍ଧ୍ୟାଧୂପ ରାତି ୧୧ଟା ୪୫ରେ ଅନୁଷ୍ଠିତ ହୋଇଥିଲା। ରାତି ୩ଟା ୫୦ରେ ବଡ଼ସିଂହାର ବେଶ ହୋଇଥିଲା। ଆଜି ଭୋର ୪ଟା ୫୦ରେ ବଡ଼ସିଂହାର ଭୋଗ, ୫ଟାରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ରାତ୍ର ପହୁଡ଼ ହୋଇଥିଲା। ଯେଉଁଥିପାଇଁ ଆଜିର ନୀତିକାନ୍ତି ବିଳମ୍ବ ହୋଇଥିଲା।