ପୁଲିସ ଉପରେ ବର୍ଷିଲେ ସୋମାଲିକା

ଭୁବନେଶ୍ୱର: କଟକ ସବରେଜିଷ୍ଟ୍ରୀ ଅଫିସରେ ନିଜର ପୁରୁଷ ବନ୍ଧୁ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା । ଆଉ ଲିଖିତ ଅଭିଯୋଗ ପରେ ସୋମାଲିକା ପୁଲିସ ଉପରେ ବର୍ଷିଛନ୍ତି ।
ସେ କହିଛନ୍ତି ଯେ ଆଜି ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କଲି । ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା । ମୋତେ ନ୍ୟାୟ ଦରକାର । ବିଜୟ ଲୁଚିଛପି ଏଭଳି କରିଛନ୍ତି । ମୁଁ ଏସବୁ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି । ସେଥିପାଇଁ ଆକ୍ସନ ହେଉନି । ପାର୍ଟି ପାୱାର ପାଇଁ ପୁଲିସ ତାଙ୍କୁ ଡାକୁନି କି ଗିରଫ କରୁନି । ପୁଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ଡାକୁନି । ପୁଲିସ ମୋତେ ହାରାସ କରୁଛି । ମୁଁ ଡିପ୍ରେସନକୁ ଆସିଗଲିଣି । ମୋତେ ଏଯାଏ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ନାରା ଦେଉଛନ୍ତି । ମୁଁ ତ ଜଣେ ନାରୀ । ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି ।
ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପୁଣିଥରେ ବ୍ୟକ୍ତିଗତ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି । ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ୟାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ନିମନ୍ତେ ଗତ ୨୧ତାରିଖରେ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନ ତାରିଖଠୁ ଏକମାସର ନୋଟିସ୍ ଅବଧି ଶେଷ ପରେ ଶ୍ରୀ ଦାସ ନିଜର ବାନ୍ଧବୀଙ୍କୁ ବିବାହ କରିବେ । ପ୍ରତ୍ୟୁଷାଙ୍କ ଘର କଟକରେ ହୋଇଥିବାରୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ପ୍ରତ୍ୟୁଷାଙ୍କ ସହ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ୟ୍ୟରତ ଅଛନ୍ତି । ପ୍ରତ୍ୟୁଷାଙ୍କ ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ।
ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ ବିଧାୟକ ଶ୍ରୀ ଦାସ ତାଙ୍କର ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ । ୨୦୨୧ ମସିହାରେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ପ୍ରତ୍ୟୁଷାଙ୍କ ଏଣ୍ଟ୍ରି ପରଠୁ ବିବାଦ ଦେଖାଦେଇଥିଲା । ପ୍ରତ୍ୟୁଷା ତାଙ୍କ ସ୍ୱାମୀଙ୍କ ସହ ବାଙ୍ଗାଲୋରରେ ରହୁଥିବାବେଳେ କୋଭିଡ୍ ସମୟରେ ନିଜ ଘରକୁ ଫେରିଥିଲେ । ଆଉ ତା’ପରେ ହିଁ ବିଜୟଶଙ୍କର ସହ ତାଙ୍କର ଘନିଷ୍ଠତା ଗଢ଼ି ଉଠିଥିଲା । ବିଜୟଶଙ୍କର ସହ ପ୍ରତ୍ୟୁଷା ଏକାଠି ପାଠ ପଢ଼ୁଥିଲେ । ଅବଶ୍ୟ ଇତିମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି ।