ନବୀନ ପାଲଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Jun 5, 2024 - 12:33
 5866
ନବୀନ  ପାଲଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ ।
ଓଡ଼ିଶା ରାଜନୀତିରେ 'ନବୀନ ଶାସନ'ର ଅନ୍ତ ଘଟିଲା। ୨୪ ବର୍ଷ ପରେ ହାତରୁ ଖସିଲା ଶାସନ ଡୋରି । ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ।

୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏହାପରଠାରୁ ଲଗାତାର ୫ଥର ତାଙ୍କ ଦଳ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।  ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ୨୦୨୪ ମସିହାରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

 ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି।

କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍‌ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ୟ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ। 

ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ । ତାଙ୍କ ନିକଟରୁ ହଟିଯିବ କାରକେଡ, କଡ଼ା ସୁରକ୍ଷା ପହରା ବି ଆଉ ରହିବନି।