ଅଭିନେତା ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦ୍ୱିତୀୟ ପର୍ୟ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ନିଜ ନିଜ କ୍ଷେତ୍ରରେ ବିଶିଷ୍ଟ ସେବା ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କଳାକାର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମାରୋହରେ ଏହି ସମ୍ମାନଜନକ ପୁରସ୍କାର ବିତରଣ କରାଯାଇଛି । ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଏମ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିଭଳି ଅଭିନେତା ଚିରଞ୍ଜୀବୀ ଓ ୯୦ ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳଙ୍କ ସିନେମା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ପାଇଁ ସେମାନଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା ।
ବିଗତ ଦିନର ଭେଟେରାନ ଅଭିନେତ୍ରୀ ୯୦ ବର୍ଷୀୟା ବୈଜୟନ୍ତୀମାଳା ବାଲି, ୬୮ ବର୍ଷୀୟ ତେଲୁଗୁ ଷ୍ଟାର କୋନିଡେଲା ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଦିବ୍ୟଙ୍ଗତ ଏମ ଫାତିମା ବିବି (ମରଣୋତ୍ତର) ଓ 'ବମ୍ୱେ ସମାଚାର'ର ମାଲିକ ହୋର୍ମୁସଜୀ ଏମ କାମା, ବିଜେପି ନେତା ଓ ରାଜଗୋପାଳ, ଲଦାଖର ଆଧ୍ୟାତ୍ମିକ ନେତା ତୋଗଦାନ ରିନପୋଚେ (ମରଣୋତ୍ତର), ତାମିଲ ଅଭିନେତା ଦିବ୍ୟଙ୍ଗତ କ୍ୟାପ୍ଟେନ ବିଜୟକାନ୍ତ (ମରଣୋତ୍ତର), ଗୁଜୁରାଟୀ ଖବରକାଗଜ ସଂସ୍ଥା 'ଜନ୍ମଭୂମୀ' ସଂସ୍ଥାର ସିଇଓ ଓ ଏଡିଟର କୁନ୍ଦନ ବ୍ୟାସଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫାତିମା ବିବି, ତୋଗଦାନ ରିନପୋଚେ ଓ ବିଜୟକାନ୍ତଙ୍କ ପରିବାର ବର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ହୃଦରୋଗ ବିଶେଷଜ୍ଞ ଡକ୍ଟର ଅଶ୍ୱିନ ବାଲଚାନ୍ଦ ମେହେଟ୍ଟା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଛି । ସେହିପରି ଭାରତର ହସ୍ତୀକନ୍ୟା ଭାବେ ପରିଚିତ ଦେଶର ପ୍ରଥମ ମହିଳା ହାତୀ ମାହୁନ୍ତ ପାର୍ବତୀ ବରୁହା, ତେଲେଙ୍ଗାନାର ଭେଲୁ ଆନନ୍ଦାଚାରୀ, ତ୍ରିପୁରାର ସ୍ମୃତିରେଖା ଚମ୍କା, ଆଣ୍ଡାମାନ ଓ ନିକୋବରର ଚାଷୀ କେ ଚେଲ୍ଲାମ୍ମଲ, କ୍ରୀଡାବିତ ଜ୍ୟୋସ୍ନା ଚିନ୍ନପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମଦତ୍ତ ବଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲରୀ, କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୋର୍ଡାନ ଲେପଚାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।