ଓଡ଼ିଶାରେ ୧୩ରେ ଭୋଟ, ଆଜି ସରିବ ପ୍ରଚାର
ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ୟ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟ ପାଇଁ ହେବ ମତଦାନ। ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର ।
କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ। ଦିନକ ପରେ ହେବ ମତଦାନ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ ।
ଏହି ପର୍ୟ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ ।
ସେହିପରି ଏହି ପର୍ୟ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ତେବେ ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।