ଦାନା ବାନ୍ଧୁଛି ଲଘୁଚାପ

May 18, 2024 - 11:45
 5854
ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ଡହ ଡହ ଖରାରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ମେ ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ୨୩ ବେଳକୁ ଲଘୁଚାପର ରୂପ ନେବ। ଏନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଯାହା ପରବର୍ତ୍ତୀ ପର୍ୟ୍ୟାୟରେ ଅବପାତ ବା ତା’ଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ  ୧୯ ତାରିଖ ବେଳକୁ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୨୦ ତାରିଖ ପରେ ବଙ୍ଗୋପସାଗର ସକ୍ରିୟ ରହିବ। ୨୧ରୁ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪ ରୁ ୫ ଦିନରେ ଅଧିକ ଘନୀଭୂତ ହୋଇପାରେ। 

ସେପଟେ  ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି । ସକାଳ ୮.୩୦ ସୁଦ୍ଧା ତାପମାତ୍ରା ୩୪.୬ ଡିଗ୍ରୀରେ ପହଞ୍ଚିଛି । ଆଦ୍ରତା ୬୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଗତ କିଛିଦିନ ଧରି ରାଜ୍ୟରେ ତାତିରେ ବ୍ରେକ ଲାଗିଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ପୁଣି ଦିନ ତାପମାତ୍ରାରେ ୩ରୁ ୪ପ୍ସ ସେଲସିୟସ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟକୁ ପଶ୍ଚିମ/ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ହେତୁ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବ।

ବିଶେଷକରି ଆସନ୍ତା ୪୮ ଘଣ୍ଟା ପରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡା, ବରଗଡ଼, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଜିଲ୍ଲାରେ ଦିନ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବା ସହ ଉକ୍ତ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ।