ବିଜେପି ନେତାଙ୍କୁ ବୁଷ୍ଟର ଇଞ୍ଜେକସନ ଦେବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି:ପାଣ୍ଡିଆନ

May 11, 2024 - 15:00
 4326
ବିଜେପି ନେତାଙ୍କୁ ବୁଷ୍ଟର ଇଞ୍ଜେକସନ ଦେବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି:ପାଣ୍ଡିଆନ

ଭୁବନେଶ୍ୱର:  କନ୍ଧମାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏତେ ଦିନ ହେଲା ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ବୀରମିତ୍ରପୁରରେ ଏହାର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନବୀନ ମନେ ରଖନ୍ତି ଏବଂ ଏହାକୁ ପାଳନ କରନ୍ତି । ଅନ୍ୟ ନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ନୁହନ୍ତି । ଯାହା ଲୋକଙ୍କୁ କୁହନ୍ତି ତାହାକୁ ହୃଦୟର ସହ ପାଳନ କରନ୍ତି ।

ପାଣ୍ଡିଆନ କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ହାରିଲା ବିଜେପି । କିନ୍ତୁ ନବୀନଙ୍କ ନେତୃତ୍ୱରେ ବିଜେଡି ଇତିହାସ ରଚିବା ସହ ୩୦ରୁ ୩୦ ଆସନ ହାତେଇଲା । ଦେଶରେ ଏମିତି କୌଣସି ରାଜ୍ୟ ଏମିତି ନାହିଁ ଯେଉଁଠି ସବୁ ଜିଲ୍ଲା ପରିଷଦ ଆସନ ଗୋଟିଏ ଦଳ ହାତେଇବ । ବିଜେଡି ଏହାକୁ ସମ୍ଭବ କରି ଦେଖାଇଛି । ଏଭଳି ଫଳାଫଳ ଦେଖି ବିଜେପିର ଅବସ୍ଥା କଣ ଥିବ ତାହା ଓଡ଼ିଶାବାସୀ ଜାଣିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ବିଜେପି ନେତାଙ୍କୁ ବୁଷ୍ଟର ଇଞ୍ଜେକସନ ଦେବାକୁ ବାରମ୍ବାର ଓଡ଼ିଶା ଆସୁଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି । ସେମାନଙ୍କର ଆତ୍ମବିଶ୍ୱାସ ବଢାଇବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ତଥାପି ଯେତେ ଇଞ୍ଜେକସନ ଦେଲେ ବି ବିଜେପି ନେତା ଉଠି ପାରୁନାହାନ୍ତି । ବିଜେପିର ୪ ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୁଲୁଛନ୍ତି । ବିଜେପି କହୁଛି, ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ ଦମ ଅଛି ତ କୁହନ୍ତି ଓଡ଼ିଶାରେ ତାଙ୍କର ମୁଖ୍ୟମନ୍ତ୍ରୀ ଚେହେରା କିଏ? ଯେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ ସେବେ ୧୦% ଭୋଟ ମଧ୍ୟ ପାଇବେନି ।

୨୪ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି । ତେଣୁ ଯେତେ ଭାଷଣ ଦେଲେ ବି ଲୋକଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀଙ୍କୁ କେହି ବାହାର କରିପାରିବେନି । ଓଡ଼ିଶାବାସୀଙ୍କ ସମସ୍ୟାର ସମାଧାନ ନବୀନ କରୁଛନ୍ତି । ମହିଳାଙ୍କୁ ୩୩% ଲୋକସଭା ଆସନରେ ଲଢିବାକୁ ସୁଯୋଗ ଦେଇଛନ୍ତି ନବୀନ । ମିଶନ ଶକ୍ତି ମା’ଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ଆୟୁଷ୍ମାନ ତୁଳନାରେ ବିଏସକେୱାଇ ବହୁତ ଭଲ । ମୁଖ୍ୟମନ୍ତ୍ରୀ କେବେ ଅନ୍ୟାୟ ହେବାକୁ ଦେବେନି । ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ବିଜେପିକୁ ୩୦ ବର୍ଷ ଲାଗିଥାନ୍ତା ନବୀନ ବାବୁ ରାଜ୍ୟ ସରକାରଙ୍କ ଟଙ୍କାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିଛନ୍ତି ।