ମିଳିଲା ୪ ଲକ୍ଷ ୭୬ ହଜାର ବର୍ଷ ପୁରୁଣା କାଠ ସାମଗ୍ରୀ 

Sep 22, 2023 - 03:37
 6
ମିଳିଲା ୪ ଲକ୍ଷ ୭୬ ହଜାର ବର୍ଷ ପୁରୁଣା କାଠ ସାମଗ୍ରୀ 

ଜାମ୍ବିଆ: ଜାମ୍ବିଆର କଲାମ୍ବୋ ପ୍ରପାତ ନିକଟ ବାଲିଶଯ୍ୟାରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ କାଠର ନିର୍ମାଣ ସାମଗ୍ରୀ ପାଇଛନ୍ତି, ଯାହା ୪,୭୬,୦୦୦ ବର୍ଷ ତଳର ବୋଲି ଜଣାପଡ଼ିଛି । ପ୍ରସ୍ତର ଯୁଗ ବେଳର ଏହି ସାମଗ୍ରୀଟି ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମାଣରେ ବ୍ୟବହୃତ ପ୍ରାଚୀନତମ କାଠ ଉପକରଣ ବୋଲି ଅନୁମାନ କରାଯାଉଛି । ତିନିଟି କାଠଗଣ୍ଡିକୁ ଯୋଡ଼ି ଗଠିତ ହୋଇଥିବା ଏହି ଉପକରଣଟି ପ୍ରାଚୀନ ମାନବଙ୍କ ବୈଷୟିକ ଦକ୍ଷତାର ପ୍ରମାଣ । ଅତୀତରେ ସମୟ ସମୟରେ ପ୍ଳାବିତ ହୋଇପଡୁଥିବା ଉକ୍ତ ପ୍ରପାତ ଅବବାହିକାରେ କୌଣସି ଉଚ୍ଚ ମଞ୍ଚ, ପାଦଚଲା ରାସ୍ତା କିମ୍ବା ବାସଗୃହର ମୂଳଦୁଆ ନିର୍ମାଣ ପାଇଁ ଉକ୍ତ ସାମଗ୍ରୀଟି ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି । ପୂର୍ବ ଗବେଷଣା ଅନୁସାରେ ସେହି ସମୟରେ କାଠର ବ୍ୟବହାର କେବଳ ଖୋଳିବା ପାଇଁ, ଜାଳେଣି ରୂପେ ଅଥବା ବର୍ଚ୍ଛା ପରି ବ୍ୟବହାର କରିବାରେ ସୀମିତ ରହିଥିଲା । ତେବେ ଏହି ନୂଆ କାଠ ସାମଗ୍ରୀ ମିଳିବା ପରେ ଏହି ଧାରଣାର ପରିବର୍ତ୍ତନ ହୋଇଛି । ଆମ ଆଦିମ ପୂର୍ବଜମାନଙ୍କ ମାନେ ପ୍ରସ୍ତରଯୁଗରେ ଯେ ଖାଲି ପ୍ରସ୍ତରରୁ ବିଭିନ୍ନ ସାମଗ୍ରୀର ନିର୍ମାଣ ଓ ବ୍ୟବହାର ଶିଖିଥିଲେ ବୋଲି ରହିଥିବା ଧାରଣାକୁ ଏହା ସଂଶୋଧିତ କରିଛି । ସେମାନେ ତାହାର ଯଥେଷ୍ଟ ପୂର୍ବରୁ ନିଜର ବୁଦ୍ଧି, କଳ୍ପନା ଓ ଦକ୍ଷତାର ଉପଯୋଗ କରି କାଠରେ କିଛି ନୂଆ ସାମଗ୍ରୀ ଗଢ଼ିପାରିଥିଲେ ବୋଲି ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ ଲାରି ବରହାମ୍‌ କହିଛନ୍ତି । କଲାମ୍ବୋ ପ୍ରପାତ ସେମାନଙ୍କ ପାଇଁ ଏକ ନିରନ୍ତର ଜଳଉତ୍ସ ପାଲଟିଥିଲା ଏବଂ ସେମାନଙ୍କ ଚାରିପାଖରେ ଥିବା ଜଙ୍ଗଲର କାଠ ସେମାନଙ୍କୁ ଅଧିକ ସ୍ଥାୟୀ ବା ଅର୍ଦ୍ଧସ୍ଥାୟୀ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଜୀବନକୁ ସହଜ କରିବା ପାଇଁ ସେମାନେ ନିଜ ଆଖପାଖରେ ପରିବର୍ତ୍ତନ ଆଣି ଏପରି କଲାମ୍ବୋ ନଦୀକୂଳରେ ବସିବା ପାଇଁ କାଠର ମଞ୍ଚ ଗଢ଼ିଥିଲେ ବୋଲି ବରହାମ୍‌ ଅନୁମାନ କରୁଛନ୍ତି ।