ରାବ୍ରି ଦେବୀ ଏବଂ ୨ ଝିଅଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଆଶ୍ବସ୍ତି । ଦିଲ୍ଲୀ କୋର୍ଟ ପକ୍ଷରୁ ଅନ୍ତରୀଣ ଜାମିନ ମିଳିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ମିଳିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ, ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବଣ୍ଡରେ ଅନ୍ତରୀଣ ଜାମିନ ମିଳିଛି ।
ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରେଲୱେରେ ନିଯୁକ୍ତି ପାଇଁ ଲୋକଙ୍କଠାରୁ ଲାଞ୍ଚ ଭାବେ ଜମି ନେଉଥିଲେ ବା ଅତି କମ୍ ମୂଲ୍ୟରେ ଜମି କିଣୁଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନ ଓ ଝିଅ ମିଶା ଭାରତୀଙ୍କ ଘରେ ଚଢାଉ କରିଥିଲା । ତେବେ ସିବିଆଇର ଅଭିଯୋଗ ଏବଂ ପ୍ରମାଣକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ ଆରମ୍ଭ କରି କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ।
ଏହି ମାମଲାରେ ED ଲାଲୁଙ୍କ ସମେତ ପତ୍ନୀ ରାବ୍ରି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା । ଆରଜେଡି ରାଜ୍ୟସଭା ସାଂସଦ ପ୍ରେମ ଚନ୍ଦ୍ର ଗୁପ୍ତା, ପୂର୍ବତନ ଆରଜେଡି ବିଧାୟକ ଅରୁଣ ଯାଦବ ଏବଂ ବିଧାୟକ କିରଣ ଦେବୀଙ୍କ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ପାଟନା, ଭୋଜପୁର ଏବଂ ଏରା ବାସଭବନରେ ଏହି ଚଢାଉ କରାଯାଇଥିଲା ।