୮୦,୧୨୫ କୋଟିର ୭ ଶିଳ୍ପକୁ ଅନୁମୋଦନ

Mar 8, 2024 - 11:03
 2
୮୦,୧୨୫ କୋଟିର ୭ ଶିଳ୍ପକୁ ଅନୁମୋଦନ

ଭୁବନେଶ୍ୱର :  ରାଜ୍ୟ ସରକାର ୮୦୧୨୫ କୋଟି ଟଙ୍କାର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌‌ଏଲ୍‌‌ସିଏ) ବୈଠକରେ ଏ ସବୁ ପ୍ରକଳ୍ପ ପ୍ରସ୍ତାବରେ ମୋହର ବାଜିଛି। ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ଔଷଧ, କେମିକାଲ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ।
ସୂଚନା ଅନୁସାରେ ଗ୍ରାନୁଏଲ୍ସ ଲାଇଫ୍‌‌ ସାଇନ୍ସେସ୍‌‌ ପାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୧୧୦୦ କୋଟି ଟଙ୍କା ବିନିଯୋଗ କରି ଔଷଧ କାରଖାନା ପ୍ରତିଷ୍ଠା କରିବ। ଏଠାରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ। ଗ୍ରାନୁଏଲ୍ସ ସିଜେଡ୍‌‌ଆରଓ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୨୦୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ନିଜର ଔଷଧ କାରଖାନାରେ ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ସେହିପରି ଖୋର୍ଦ୍ଧାରେ ଏସିଏମ୍‌‌ଇ ଗ୍ରୀନ୍‌‌ଟେକ୍‌‌ ଉର୍ଜା ପ୍ରା.ଲି ସବୁଜ ଶକ୍ତି ଉପକରଣ ପ୍ରସ୍ତୁତି କାରଖାନାରେ ୩୫, ୬୦୦ କୋଟି ଟଙ୍କା ନିବେଶ କରିବା ସହ ୬୨୭୨ ଜଣଙ୍କୁ ନିଯୁକ୍ତି ଦେବ। ୱାରୀ କ୍ଲିନ୍‌‌ ଏନଜୀ ସଲ୍ୟୁସନ୍ସ ଜଗତସିଂହପୁରରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀନ୍‌‌ ଆମୋନିଆ ଉତ୍ପାଦନ କରିବ। ଏଠାରେ କମ୍ପାନୀ ୧୨, ୪୮୦ କୋଟି ଟଙ୍କା ବିନିଯୋଗ କରି ୩୨୫୦ ଲୋକଙ୍କୁ ନିଯୁକ୍ତି ଦେବ। ଇଜି ସୋଲୱିନ୍‌‌ ହାଇବ୍ରିଡ୍‌‌ ପ୍ରା.ଲି ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ଗ୍ରୀନ୍‌‌ ଆମୋନିଆ କାରଖାନା ପ୍ରତିଷ୍ଠା କରିବା ଲାଗି ୬୩୩୦ କୋଟି ଟଙ୍କା ବିନିଯୋଗ କରିବ। ଏଠାରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଅକ୍ସନ୍‌‌ ଇସ୍ପାତ ଝାରସୁଗୁଡ଼ାରେ ନିଜ କାରଖାନାର ସମ୍ପ୍ରସାରଣ ଲାଗି ୨୧, ୦୦୦ କୋଟି ଟଙ୍କା ନିବେଶ କରିବ। ଏଠାରେ ୧୦୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ଅପରପକ୍ଷେ ଏଫ୍‌‌ଓବି ଟେକ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ୧୬୧୫ କୋଟି ଟଙ୍କା ନିବେଶ କରିବା ସହ ୧୫୦୦ ଲୋକଙ୍କୁ ନଯୁକ୍ତି ଦେବ।