ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି

ଭୁବନେଶ୍ୱର : ରାଜ୍ୟରେ କୃଷକ ସଶକ୍ତିକରଣକୁ ଗୁରୁତ୍ବ ଦେଉଛନ୍ତି ସରକାର। ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦-୨୦୦୧ ମସିହାରେ ରାଜ୍ୟରେ ମାତ୍ର ୫୫.୩୫ ଲକ୍ଷ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିଲା। ଏବେ ଓଡ଼ିଶାର ବାର୍ଷିକ ଖାଦ୍ୟ ଶସ୍ୟ ଉପ୍ତାଦନ ୨୪୧.୩୬ ଲକ୍ଷ ଟନରେ ପହଞ୍ଚିଛି। ଯାହା ଫଳରେ ଓଡ଼ିଶା ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର କହିଛନ୍ତି।ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଭାରତୀୟ ଖାଦ୍ୟ ନିଗମକୁ ଧାନ ଯୋଗାଇବା ତାଲିକାରେ ଓଡ଼ିଶା ଆଜି ଚତୁର୍ଥ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି। ୨୦୦୦ ମସିହାରେ ଓଡ଼ିଶାରେ ଧାନ ଉତ୍ପାଦନ କ୍ଷମତା ୧୦୪୧ ପ୍ରତି ହେକ୍ଟର ହୋଇଥିବା ବେଳେ ଏବେ ଏହା ୨୯୩୬ ଟନ୍କୁ ବୃଦ୍ଧି ପାଇଛି। ସେହିପରି ପନିପରିବା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ୨୦୦୦-୨୦୦୧ ମସିହାରେ ରାଜ୍ୟରେ ୩୩.୩୭ ଲକ୍ଷ ଟନ ପନିପରିବା ଚାଷ ହେଉଥିବା ବେଳେ ଏହା ୯୮.୫୨ ଲକ୍ଷ୍ୟକୁ ବୃଦ୍ଧି ପାଇଛି। କୃଷି ଯାନ୍ତ୍ରୀକିକରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଅଗ୍ରଗତି ହୋଇଛି। ୨୦୨୩ ମସିହାରେ ରାଜ୍ୟର ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇଛି। ଓଡ଼ିଶାର କୃଷି ଯନ୍ତ୍ରାଂଶ ଉପଲବ୍ôଧ କ୍ଷମତା ମଧ୍ୟ ୨୦୦୦-୦୧ ମସିହାରେ ଥିବା ୦.୬୧ କେ.ଡବ୍ଲ୍ୟୁରୁ ୨.୨୩ କେଡବ୍ଲ୍ୟୁକୁ ବୃଦ୍ଧି ପାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଏହାକୁ ୨.୨୫ କେଡବ୍ଲ୍ୟୁ ପର୍ୟ୍ୟନ୍ତ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ସବଡିଭିଜନ ସ୍ତରରେ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି।
୨୦୧୭-୧୮ ମସିହାରେ ମିଲେଟ୍ ଚାଷକୁ ଆନ୍ତର୍ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ସଫଳ ରୂପାୟନ ମାଧ୍ୟମରେ ଖୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର, ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଚାଷୀ ମାନଙ୍କର ଉନ୍ନତି ହୋଇପାରିଛି ବୋଲି ଡଃ ମିଶ୍ର କହିଛନ୍ତି। ଏହି କାର୍ୟ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ ବ୍ଳକରେ କାର୍ୟ୍ୟକାରୀ ହୋଇ ପ୍ରାୟ ୬.୦୩ ଲକ୍ଷ ମିଲେଟ ଉତ୍ପାଦନ ହୋଇଛି, ଯାହା ମିଲେଟ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି କରିବାରେ ସକ୍ଷମ ହୋଇଛି। ଓଡ଼ିଶାର ଏହି ଉଦ୍ୟମକୁ ନୀତି ଆୟୋଗ, ମିଳିତ ଜାତିସଂଘ ଓ ଏଫ୍ଏଓ ଭଳି ସଂସ୍ଥାମାନେ ପ୍ରଶଂସା କରିଛନ୍ତି। କୃଷି କ୍ଷେତ୍ରରେ ଉପଲବ୍ôଧ ପାଇଁ, ଓଡିଶାକୁ ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଏହା ବ୍ୟତୀତ ଶ୍ରେଷ୍ଠ ମିଲେଟ ଉତ୍ପାଦନ ରାଜ୍ୟ ଭାବେ ମଧ୍ୟ ଓଡ଼ିଶା ପୁରସ୍କୃତ ହୋଇଛି। ସେହିପରି, ଓଡ଼ିଶା କାଜୁ ଉନ୍ନୟନ ନିଗମ ମଧ୍ୟ ଶ୍ରେଷ୍ଠ ନର୍ସରି ପୁରସ୍କାର ହାସଲ କରିଛି ବୋଲି ଡଃ ମିଶ୍ର କହିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।