ଦେଶରେ ସବୁଠାରୁ ଗରିବ ଝାଡଖଣ୍ଡ ଚାଷୀ , ଦ୍ୱିତୀୟରେ ଓଡ଼ିଶା

INDIAN Odisha Farmer

Sep 28, 2023 - 14:27
Sep 28, 2023 - 14:27
 5
ଦେଶରେ ସବୁଠାରୁ ଗରିବ ଝାଡଖଣ୍ଡ   ଚାଷୀ , ଦ୍ୱିତୀୟରେ ଓଡ଼ିଶା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ସରକାର କାଳିଆ, ବଳରାମ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା କରୁଛନ୍ତି  । ହେଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରୁ ନାହିଁ  । ଅନ୍ୟ ରାଜ୍ୟର ଚାଷୀ ତୁଳନାରେ ଓଡିଶାର ଚାଷୀ ପରିବାର ଗରିବ  । ଏହା ଖୋଦ୍‌ ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି  । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ମାନିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । କଂଗ୍ରେସ ବିଧାୟକ ଦଳ ନେତା ଲିଖିତ ପ୍ରଶ୍ନ କରି ପଚାରିଥିଲେ ରାଜ୍ୟର ଚାଷୀଙ୍କ ମାସିକ ଆୟ କେତେ? ଅନ୍ୟ ରାଜ୍ୟର ଚାଷୀଙ୍କ ମାସିକ ଆୟର ତୁଳନାତ୍ମକ ତଥ୍ୟ ଗୃହରେ ଜଣାଇବାକୁ କହିଥିଲେ  । ଏହାର ଲିଖିତ ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ଏନଏସ୍‌ଓର ରିପୋର୍ଟ ଅନୁସାରେ ଦେଶର ୨୮ରାଜ୍ୟ ମଧ୍ୟରୁ ଚାଷୀଙ୍କ ମାସିକ ଆୟ ତାଲିକାରେ ଓଡିଶା ୨୭ ତମ ସ୍ଥାନରେ ରହିଛି । କେବଳ ଝାଡଖଣ୍ଡର ଚାଷୀଙ୍କ ଆୟଠାରୁ ଓଡିଶାର ଚାଷୀଙ୍କ ଆୟ ଅଧିକା ରହିଛି  । ଏନଏସ୍‌ଓ ରିପୋର୍ଟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର କୃଷକଙ୍କ ଆୟ ୫ହଜାର ୧୧୨ ଟଙ୍କା ଥିଲା  । ୨୦୧୮-୧୯ରେ ଝାଡଖଣ୍ଡ କୃଷକଙ୍କ ଆୟ ୪ ହଜାର ୮୯୫ ଟଙ୍କା ଥିଲା  । ବଡ କଥା ହେଉଛି, ୨୦୧୨-୧୩ ଆର୍ଥିକ ବର୍ଷରେ ଓଡିଶା ତଳଆଡୁ ୫ ନମ୍ବର ସ୍ଥାନରେ ରହିଥିଲା । ମାସିକ ଆୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ଠାରୁ ପଶ୍ଚିମବଙ୍ଗ, ଉତରପ୍ରଦେଶ, ବିହାର, ଝାଡଖଣ୍ଡର ଚାଷୀ ତଳେ ରହିଥିଲେ  । ହେଲେ ଏହାରି ଭିତରେ କେବଳ ଝାଡଖଣ୍ଡକୁ ଛାଡି ଦେଲେ ଅନ୍ୟ ୩ ରାଜ୍ୟର ଚାଷୀ ଓଡିଶାର ଚାଷୀଙ୍କୁ ପଛରେ ପକାଇ ଦେଇଛନ୍ତି  । ତେଣୁ ପ୍ରଶ୍ନ ଉଠୁଛି ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା କରିବା ସତ୍ତେ୍ୱ ଓଡ଼ିଶାର ଚାଷୀ ଗରିବ କାହିଁକି?