ଆଜି ପ୍ରେମ ପାଇଁ ଦିନଟିଏ, ପ୍ରେମ ବିନା ଜୀବନ ରଙ୍ଗହୀନ

Feb 14, 2024 - 11:29
 6
ଆଜି ପ୍ରେମ ପାଇଁ ଦିନଟିଏ, ପ୍ରେମ ବିନା ଜୀବନ ରଙ୍ଗହୀନ

ପ୍ରେମ... ମାତ୍ର ଦୁଇଟି ଅକ୍ଷର ହେଲେ ପ୍ରଗଢତା ହଜାରେ ଅକ୍ଷର । ପ୍ରେମ କେବଳ ଶାରୀରିକ ସମ୍ପର୍କର ଆକର୍ଷଣ ନୁହେଁ, ବରଂ ଏହା ଦୁଇ ଆତ୍ମାର ଶାଶ୍ୱତ ବନ୍ଧକ । ପ୍ରେମ ପାଇଁ ଭାଷା ସାଜେନି ପ୍ରତିବନ୍ଧକ । ଥରେ ମନରେ ମନ ମିଶିଲେ ଆଉ କୌଣସି ପ୍ରତିବନ୍ଧକ ମଧ୍ୟ ବାଟ ଓଗାଳିପାରେ ନାହିଁ । ସବୁ କିଛି ପ୍ରେମ ଆଗରେ ହାର ମାନିଥାଏ । କୁହାଯାଏ ପ୍ରେମ ଅନ୍ଧ । ଥରେ ଆଖିରେ ଆଖି ମିଶିଲେ ସାରା ବିଶ୍ୱ ରଙ୍ଗିନ ଦେଖାଯାଏ । ପ୍ରେମ ଦେଖେନି ବୟସର ତାରତମ୍ୟ କିମ୍ବା ଜାତି ବିଚାର । ପ୍ରେମ ଆଗରେ ହାର ମାନେ ଧନ, ସମ୍ପତ୍ତି ଏବଂ ସୌନ୍ଦର୍ୟ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍କ, ସିନେମା ହଲ ଏବଂ ସପିଂ ହଲରେ କଟିବ ପ୍ରେମ ଦିବସ । ଆଡି ଭାଲେଣ୍ଟାଇନ ଡେ । ସପ୍ତାହର କସରତ ପରେ ଆଜି ଉଭୟ ଉଭୟଙ୍କୁ ପାଇବା ପାଇଁ କସରତ କରିବେ ପ୍ରେମୀଯୁଗଳ । ରୋଜ ଡେ'ରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଭାଲେଣ୍ଟାଇନ ଡେ'ରେ ପହଞ୍ଚିଛି । ସାତ ଜନ୍ମର ସାଥି ପାଲଟିବାକୁ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ । ପ୍ରତିଶୃତିର ସାକ୍ଷୀ ପାଲଟିବ ଭାଲେଣ୍ଟାଇନ ଡେ ।

ପ୍ରେମ ବିନା ଜୀବନ ରଙ୍ଗହୀନ । କେତେବେଳେ ପ୍ରେମ ଝଗଡାରୁ ଆରମ୍ଭ ହୁଏ ତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ । ପ୍ରେମ କେବଳ ଆଜି ପାଇଁ ନୁହେଁ ସାତ ଜନ୍ମ ପାଇଁ ଏହି ବାର୍ତ୍ତା ଦେଇ ଆଜିର ଦିବସକୁ ପାଳନ କରିବେ ପ୍ରେମୀ ଯୁଗଳ । ପ୍ରେମ ଏକ ପ୍ରକାରର ଶୂନ୍ୟ କବିତା । ପ୍ରେମର ପରିଭାଷା ବୁଝିବାକୁ ହେଲେ ସାରା ଜୀବନ ମଧ୍ୟ କମ ପଡିଯିବ । ଭାଲେଣ୍ଟାଇନ ଡେ'କୁ ନେଇ ସମସ୍ତ ପ୍ରେମୀଯୁଗଳ ଉତ୍ସାହିତ । କିଏ କଣ ଏବଂ କେଉଁ ପ୍ରକାର ଗିଫ୍ଟ ଦେଇ ପ୍ରେମୀଙ୍କୁ ଖୁସି କରାଇବେ ସେନେଇ ସମସ୍ତେ ତତ୍ପର । ଅନେକ ରେସ୍ତୋରାଁ ଭାଲେଣ୍ଟାଇନ ଡେ ପାଇଁ ଲାଲ ହାର୍ଟରେ ସଜେଇ ହୋଇଥିବା ବେଳେ ବେଲୁନରେ ସଜେଇ ହୋଇଛି । ଭଳିକି ଭଳି ଅଫର ମଧ୍ୟ ଲାଗିଛି । ଅନ୍ୟପଟେ କିଏ ସରପ୍ରାଇଜ ଗିଫ୍ଟ ଦେବେ ତ ଆଉ ଏକ ପ୍ରେମ ଭାଷା କହି ପ୍ରେମିକାକୁ ଖୁସି କରାଇବେ ।