ଗଣେଶ ପୂଜା: କେଉଁଠି ବୃକ୍ଷ ଗଣେଶ ତ କେଉଁଠି ପେଣ୍ଡାଲରେ ଅଧାରକାର୍ଡ ଶୈଳୀ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପବିତ୍ର ଭାଦ୍ରବ ମାସର ଶୁକ୍ଲ ଚତୁର୍ଥୀ ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଶ୍ରୀଗଣେଶ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହୋଇଛି ପୁର ପଲ୍ଲୀ ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ । ଗଣେଶ ପୂଜାକୁ ନେଇ ଉତ୍ସବ ମୁଖର ରହିଛି ସାରା ଦେଶ ଏବଂ ଆମ ରାଜ୍ୟ । ଆଜିର ଦିନରେ ବିଦ୍ୟାର ଦେବତା ତଥା ସକଳ ବିଘ୍ନ ନାଶକ ପ୍ରଭୁ ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ଏହି ଅବସରରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣେଶଙ୍କୁ ଆରଧନା ସହ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଉପାୟରେ ଶ୍ରୀଗଣେଶଙ୍କର ଆରାଧନା କରାଯାଉଛି । ଏହା ଭିତରେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ୍ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି । ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ ସୁସଜ୍ଜିତ କରାଯାଇଥିବା ବେଳେ ବାଉଁଶରେ ତିଆରି କାନରେ ବେଶ ସୁନ୍ଦର ଲାଗୁଛନ୍ତି ଗଜାନନ । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛର ପ୍ରତିକୃତିରେ ପୂଜା କରାଯାଉଥିବା ବେଳେ ନଡ଼ିଆରେ ମୂଷିକରାଜଙ୍କୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଗଛର ପ୍ରସାଦ ଦିଆଯାଉଛି । ଭୋଗ ନୁହେଁ ଗଛର ଚାରା ପ୍ରଦାନ କରି ଆଉ ଏକ ବୃକ୍ଷର ସୃଷ୍ଟି ପାଇଁ ବାର୍ତ୍ତା ଦିଆଯାଇଛି । ସେହିଭଳି କଟକରେ ମହାନଦୀବିହାର ଅଞ୍ଚଳେ ଏକ କ୍ଲବ୍ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଧାର କାର୍ଡରେ ଗଣେଶଙ୍କ ବାୟୋ ଡାଟା ଭଳି ଡିଜାଇନ୍ ପ୍ରସ୍ତୁତ କରିଛି । ଏହାରି ଭିତରେ ବାପା ମାଆ, ଘର ଜନ୍ମ ତାରିଖ ସବୁ ରହିଛି । ଏହାସହ ଶେଷରେ ଗୋଟିଏ ବାର କୋର୍ଡ ମଧ୍ୟ ରହିଛି । ତେବେ ଏହାକୁ ଦେଖିଲା ମାତ୍ରକେ ବାଟୋଇ କିଛି ସମୟ ପାଇଁ ଚାହିଁ ରହୁଛି । ସବୁଠାରେ କିଛି ନୂଆ ନୂଆ ତୋରଣର ଦୃଶ୍ୟ ଦେଖିବାକୁ ମିଳୁଥିଲା ବେଳେ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ପବିତ୍ର ଗଣେଶ ପୂଜା ଅବସରରେ ଲାଲବାଗ୍ଚାରାଜାଙ୍କ ନିକଟରେ ୨୦୦୦ ହଜାର ଟଙ୍କିଆ ନୋଟ୍ର ହାର ଚଢ଼ାଇବା ଅବସରରେ ମୁକେଶ ଅମ୍ବାନୀଙ୍କର ଫଟୋ ଓ ଭିଡିଓ ଆଜି ସାମାଜିକ ଗଣାମଧ୍ୟମରେ ଭାଇରାଲ ହୋଇଛି ।