ହଗ୍ ଡେ...ବିନା ଶବ୍ଦର ପ୍ରେମର ଭାବନାକୁ କରେ ପରିପ୍ରକାଶ

Feb 12, 2024 - 11:31
 11
ହଗ୍ ଡେ...ବିନା ଶବ୍ଦର ପ୍ରେମର ଭାବନାକୁ କରେ ପରିପ୍ରକାଶ

ବିନା ଶବ୍ଦର ପ୍ରେମର ଭାବନାକୁ ପରିପ୍ରକାଶ କରେ ଆଲିଙ୍ଗନ । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ଭାବେ ପାଳନ କରାଯାଏ । ହଗ୍‌ର ଅର୍ଥ ହେଉଛି ପ୍ରେମରେ ଆଲିଙ୍ଗନ । କୁହାଯାଏ ପ୍ରେମରେ ଆଲିଙ୍ଗନ ଯାଦୁ ଭଳି କାର୍ୟ୍ୟ କରିଥାଏ । ଆଲିଙ୍ଗନ ଦ୍ବାରା ମନର ଭାବନାକୁ ବିନା ଶବ୍ଦରେ ନିଜ ଜୀବନ ସାଥୀ ନିକଟରେ ପହଞ୍ଚିବାରେ ସଫଳ ହୋଇଥାଏ । ଜୀବନରେ ଅନ୍ୟ ଲୋକର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା କେବଳ ଏକ ଆଲିଙ୍ଗନ ଦ୍ବାରା ଅନୁଭବ ହୋଇଥାଏ । ସ୍ପର୍ଶ ମାଧ୍ୟମରେ ପ୍ରେମ ପ୍ରକାଶ କରିବା ଏକ ସୁନ୍ଦର ଉପାୟ । ପରସ୍ପର ପ୍ରତି ସ୍ନେହ, ପ୍ରେମ ଏବଂ ସମ୍ମାନ ରହିଥିଲେ ସେମାନେ ଆଲିଙ୍ଗନ ଦ୍ବାରା ପରିପ୍ରକାଶ କରିଥାଆନ୍ତି । ଆଜିର ଦିନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରି ଉଭୟଙ୍କୁ ସ୍ବତନ୍ତ୍ର ଅନୁଭବ କରାଇଥାଆନ୍ତି । କାଲିର ମିଠା ପ୍ରତିଶୃତି ଉପରେ ଆଜି ସୁଦୃଢ ହୋଇଥାଏ ସମ୍ପର୍କ ।

ଆଲିଙ୍ଗନ କରିବା ଦ୍ବାରା ସମ୍ପର୍କରେ ବିଶ୍ବାସ ଗଭୀର ହୋଇଥାଏ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମୀୟ ମିଳନ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ବ ରହିଛି । ଆଲିଙ୍ଗନ ଦ୍ବାରା ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ବିଧାକୁ ନିମିଷକେ ଦୂର କରିଥାଏ ।

କୁହାଯାଏ, ଆଲିଙ୍ଗନ ହେଉଛି ଦକ୍ଷ ପ୍ରେମ ଭାଷା । ଯେଉଁଠାରେ ଶବ୍ଦ ବିଫଳ ହୁଏ ସେତେବେଳେ ଆଲିଙ୍ଗନ ପ୍ରେମ ଭାବନାକୁ ପ୍ରକାଶ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଲିଙ୍ଗନ କରିବା ଦ୍ବାରା ଚାପ ହ୍ରାସ ପାଇଥାଏ । ତେଣୁ ଆଲିଙ୍ଗନ ଦ୍ବାରା ନିଦ୍ରାହୀନତା ସମସ୍ୟା ଦୂର ହେବା ସହିତ ମନୋବଳକୁ ଦୃଢ କରିଥାଏ । ତେବେ ପ୍ରେମିକ ପ୍ରେମିକା ବ୍ୟତୀତ ପିତାମାତା, ଭାଇଭଉଣୀ କିମ୍ବା ବନ୍ଧୁପରିଜନମାନଙ୍କୁ ସ୍ନେହଭରା ଆଲିଙ୍ଗନ କରିପାରିବେ । ଆଲିଙ୍ଗନ କରିବା ଦ୍ବାରା ଅନ୍ୟପ୍ରତି ପ୍ରେମ ଭାବନା ପରିପ୍ରକାଶ ହୋଇଥାଏ ଏବଂ ମତଭେଦ ମଧ୍ୟ ଦୂର ହୋଇଥାଏ ।