ପରସ୍ପରକୁ କଲେ ପ୍ରଶଂସା

ଭୁବନେଶ୍ଵର: ବିଜେଡି-ବିଜେପି ମେଣ୍ଟ ସସପେନ୍ସ ଭିତରେ ଅପେକ୍ଷା ଥିଲା ମୋଦୀଙ୍କ ଆଗମନକୁ । ମୋଦୀ ଆସିଲେ ଆଉ ଅନେକ କିଛି ସଙ୍କେତ ଦେଇଗଲେ । କାର୍ୟ୍ୟକ୍ରମ ମଞ୍ଚରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ନବୀନ ମଧ୍ୟ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ଲୋଡ଼ିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନା’ ଥିଲା ଡବଲ ଇଞ୍ଜିନ ସରକାରର ନାରା, ନା’ ଥିଲା ରାଜ୍ୟ ସରକାରଙ୍କ ପ୍ରତି ବିରୋଧାଭାଷ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଗାମୀ ଦିନରେ ଦୁଇ ଦଳ ଭିତରେ ବେଶ୍ ଭଲ ବୁଝାମଣା ରହିଛି । ମୋଦୀଙ୍କ ଓଡିଶା ଗସ୍ତ ସମୟରେ ବିଜେଡି-ବିଜେପି ମେଣ୍ଟ ଉପରେ କିଛି ଠୋସ୍ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ହେଲେ ମୋଦୀ-ନବୀନଙ୍କ ଭେଟଘାଟ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଲା । ଖୋଲାଖୋଲି ମନ୍ତବ୍ୟ ଦେଇନଥିଲେ ବି ଦୁଇ ନେତାଙ୍କ ଭାଷଣ ଓ ବଡ଼ି ଲାଙ୍ଗୁଏଜ୍ ଅନେକ କିଛି ସଙ୍କେତ ଛାଡ଼ିଥିଲା । ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ନବୀନ ମଧ୍ୟ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ଲୋଡ଼ିଥିଲେ । ଚଣ୍ଡିଖୋଲ ସରକାରୀ କାର୍ୟ୍ୟକ୍ରମରେ ନବୀନ ସମ୍ବଲପୁର ଅପେକ୍ଷା ମୋଦୀଙ୍କୁ ଅଧିକ ପ୍ରଶଂସାକରିଥିଲେ । କହିଥିଲେ ମୋଦୀଙ୍କ ଦୃଢ ନେତୃତ୍ବ ପାଇଁ ଆଗକୁ ଭାରତ ବିଶ୍ବର ତୃତୀୟ ଅର୍ଥନୀତି ହେବାକୁ ଯାଉଛି । ଓଡିଶାର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ । ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା ବି କରିଥିଲେ ମୁଖ୍ୟମନ୍ତ୍ରୀ ।
ସେପଟେ ସମ୍ବଲପୁର ସଭାରେ ନବୀନଙ୍କୁ ମିତ୍ର ବୋଲି ସମ୍ବୋଧନ କରିଥିବା ମୋଦୀ ନବୀନଙ୍କୁ ଚଣ୍ଡିଖୋଲ ସଭାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ। ସମ୍ବଲପୁର ସଭା ଭଳି ଚଣ୍ଡିଖୋଲ ସଭାରେ ବି ବିଜେଡି ସରକାର ଉପରେ ପଦୁଟିଏ ବି କହିନଥିଲେ ମୋଦୀ । ଆଉ ମଞ୍ଚ ଉପରେ ଦୁଇ ନେତା ପରସ୍ପର ସହ ବେଶ ସହଜ ଅନୁଭବ କରିବା ସହ ଅଧିକ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଦୁଇ ନେତାଙ୍କ ଏଭଳି ବଡି ଲାଙ୍ଗୁଏଜ ମେଣ୍ଟ ଚର୍ଚ୍ଚାକୁ ପୁଣି ପାଦେ ଆଗକୁ ବଢାଇଛି ।